ସେଦିନ ଥିଲା ୧୯୩୧ ନଭେମ୍ବର ୨ ତାରିଖ । ଆଜି ଭଳି ସେତେବେଳେ କ୍ରିକେଟକୁ ନୀତି ନିୟମ ଭିତରେ ବନ୍ଧା ଯାଇ ନଥିଲା । ଦୁଇଟି ଟିମ ଭିତରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଚାଲିଥିଲା । ଅଷ୍ଟ୍ରେଲିଆର ଘରୋଇ ଟିମ୍ ବ୍ଲାକ୍ଲିଥ ଏକାଦଶ ତରଫରୁ ଓପନିଂ କରୁଥାନ୍ତି ସାର୍ ଡନ୍ ବ୍ରାଡ୍ମ୍ୟାନ୍ । ମଇଦାନକୁ ଓହ୍ଲାଇବା ପରେ ସାମ୍ନା କଲେ ପ୍ରଥମ ବଲକୁ । ବଲଟି ବ୍ୟାଟ୍ରେ ବାଜିବା ମାତ୍ରେ ଶୂନ୍ୟରେ ଶୂନ୍ୟରେ ଚାଲିଗଲା ସୀମା ବାହାରକୁ ‘ଛକ୍କା’ । ବଲଟି ଆଉ ସୀମା ଭିତରେ ରହିବାକୁ ପସନ୍ଦ କଲାନି ।
କହିବାର ଅର୍ଥ ବୋଲରଙ୍କ ପ୍ରତ୍ୟେକ ବୋଲିଂକୁ କଡ଼ା ଜବାବ ଦେଉଥିଲେ ବ୍ରାଡ୍ମ୍ୟାନ୍ । ମାତ୍ର ତିନି ଓଭରରେ ଶତକ ହାସଲ କଲେ ବ୍ରାଡମ୍ୟାନ । ସେତେବେଳେ ପ୍ରତ୍ୟେକ ଓଭରରେ ୮ ଥର ବୋଲିଂ ପ୍ରଚଳନ ଥିଲା । ପ୍ରଥମ ଓଭରରୁ ୩୩ ରନ୍, ଦ୍ୱିତୀୟ ଓଭରରୁ ୪୦ ଓ ତୃତୀୟ ଓଭରରେ ୨୭ ରନ୍ କରିଥିଲେ କ୍ରିକେଟ୍ ମହାରଥୀ ବ୍ରାଡ୍ମ୍ୟାନ୍ । ତିନି ଓଭରରେ ୧୦ଟି ଛକ୍କା । କୌତୁହଳର ବିଷୟ, ପ୍ରଥମ ତିନି ଓଭର ବୋଲିଂ ଭିତରୁ ବ୍ରାଡ୍ମ୍ୟାନଙ୍କ ଯୋଡ଼ିଦାର ବେଣ୍ଡେଲ ବିଲ ମାତ୍ର ୨ ରନ୍ କରିଥିଲେ । ସଂକ୍ଷେପରେ କହିଲେ ବ୍ରାଡ୍ମ୍ୟାନ ମଇଦାନରେ ଥିବା ଯାଏ ବେଣ୍ଡେଲ ବ୍ୟାଟିଂ ସୁଯୋଗ ପାଇଲେନି । ସେଦିନ ବ୍ରାଡମ୍ୟାନ୍ ବ୍ୟକ୍ତିଗତ ଭାବେ ୪୩ଟି ଛକ୍କା ବଳରେ ୨୫୬ ରନ୍ କରିଥିଲେ । ମ୍ୟାଚ୍ ଶେଷରେ ବ୍ରାଡମ୍ୟାନ୍ ବୟାନରେ କହିଥିଲେ, ୟେ ପାଳି କେମିତି ଖେଳିଲି, ଜାଣି ପାରିଲିନି । ସବୁକିଛି ଅଚାନକ ହୋଇଗଲା । ବ୍ୟାଟ୍ କୁଆଡକୁ ବୁଲାଉଥିଲି, ଜାଣି ପାରୁ ନଥିଲି । ଅନାଇଲା ବେଳକୁ ବଲ ସିଧା ପଡ଼ିଆ ବାହାରକୁ ।
ବ୍ରାଡ୍ମ୍ୟାନ୍ ପ୍ରାୟ ୨୩୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଓ ୫୨ଟି ଟେଷ୍ଟ ଖେଳିବାକୁ ସୁଯୋଗ ପାଇଥିଲେ । ଆଜିର ଦିନରେ ତାଙ୍କର ଦେହାନ୍ତ ହୋଇଥିଲା । ନିମୋନିଆରେ ପୀଡ଼ିତ ହୋଇ ୯୩ ବର୍ଷୀୟ ବ୍ରାଡ୍ମ୍ୟାନ୍ ୨୦୦୧ ଫେବୃଆରୀ ୨୫ ତାରିଖରେ ପରଲୋକ ଗମନ କଲେ ।