କିଡ୍‌ନୀକୁ ସୁସ୍ଥ ରଖିବାକୁ ହେଲେ ଯଥେଷ୍ଟ ପାଣି ପିଅନ୍ତୁ

ଲକ୍ଷଣକୁ ଅବହେଳା କଲେ ମଣିଷ ମୃତ୍ୟୁମୁଖରେ ପଡ଼ିଥାଏ…

ଆମ ଶରୀରର ପ୍ରତି ଅଙ୍ଗପ୍ରତ୍ୟଙ୍ଗ ଭିନ୍ନଭିନ୍ନ କାମ ତୁଲାଇଥାନ୍ତି । ହୃତପିଣ୍ଡ, ମସ୍ତିଷ୍କ, ଫୁସଫୁସ୍‌ ଭଳି କିଡ୍‌ନୀ ମଧ୍ୟ ଆମ ଶରୀରକୁ ସୁସ୍ଥ ଓ ସତେଜ ରଖିଥାଏ । ରକ୍ତରୁ ଦୂଷିତ ପଦାର୍ଥଗୁଡ଼ିକ ଅଲଗା କରି ସେଗୁଡ଼ିକୁ ମୂତ୍ର ସାରଣୀକୁ ପଠାଇବା କିଡ୍‌ନୀର ପ୍ରଧାନ କାମ । ତା’ ସହିତ କିଡ୍‌ନୀକୁ ଆହୁରି ଅନେକ ଗୁରୁଦାୟିତ୍ୱ ଦିଆଯାଇଛି । କିଡ୍‌ନୀ ସୁସ୍ଥ ରହିଲେ, ଠିକ ଭାବରେ କାମ କରିଥାଏ । ମାତ୍ର କିଡ୍‌ନୀ ଅସୁସ୍ଥ ହେଲେ ଆମ ଜୀବନ ପ୍ରତି ବିପଦର ଆଶଙ୍କା ଥାଏ ।

ରକ୍ତଚାପ ନିୟନ୍ତ୍ରଣ ଓ ଲୋହିତ ରକ୍ତକଣିକା ସୃଷ୍ଟି ସମେତ ପିଏଚ୍‌ ମାତ୍ରା ନିୟନ୍ତ୍ରଣ ଭଳି ଗୁରୁଦାୟିତ୍ୱ ମଧ୍ୟ କିଡ୍‌ନୀ ସମ୍ପାଦନ କରିଥାଏ । କିଡ୍‌ନୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କୌଣସି କାରଣରୁ ସଂକ୍ରମିତ ହେବାର ସାମାନ୍ୟ ସଂକେତ ମିଳିଲେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ । କିଡ୍‌ନୀ ସାମାନ୍ୟ ଅସୁସ୍ଥ ହେବା ମାତ୍ରେ ନାନା ସଂକେତ ବା ଲକ୍ଷଣ ପ୍ରକାଶ ପାଇଥାଏ ।

ଉକ୍ତ ଲକ୍ଷଣ ପ୍ରତି ଦୃଷ୍ଟି ଦେଇ ପ୍ରତିକାର କଲେ, କିଡ୍‌ନୀ ସଂପୂର୍ଣ୍ଣ ସୁସ୍ଥ ହୋଇ ପୂର୍ବ ଭଳି କାମ କରିଥାଏ । ଲକ୍ଷଣକୁ ଅବହେଳା କଲେ ମଣିଷ ମୃତ୍ୟୁମୁଖରେ ପଡ଼ିଥାଏ । କିଡ୍‌ନୀ ଖରାପ ହେବାର ନାନା ସଂକେତ ଭିତରୁ ଏଠାରେ କିଛି ଉଲ୍ଲେଖ କରୁଛୁ । କିଡ୍‌ନୀ ଅସୁସ୍ଥ ହେବା କାରଣରୁ ରକ୍ତଶୋଧନ କ୍ରିୟା ବାଧାପ୍ରାପ୍ତ ହୋଇଥାଏ । ରକ୍ତରେ ଦୂଷିତ ପଦାର୍ଥ ପରିମାଣ ଅଧିକ ରହିବା ଫଳରେ ମୁଖମଣ୍ଡଳ, ପାଦ ଓ ଆଖି ନିକଟ ମଳିନ ଦେଖାଯାଏ ।

କିଡ୍‌ନୀ ସମସ୍ୟା କାରଣରୁ ନିୟମିତ ଲୋହିତ ରକ୍ତକଣିକା ସୃଷ୍ଟି ହୋଇପାରେନା । ପରିଣାମ ସ୍ୱରୂପ ସୁସ୍ଥ ବ୍ୟକ୍ତି, ମହିଳା, ପିଲାଙ୍କୁ ନିମୋନିଆ ଆକ୍ରମଣ କରିଥାଏ । ମସ୍ତିଷ୍କକୁ ଆବଶ୍ୟକ ପରିମାଣର ଅମ୍ଳଜାନ ଓ ପୋଷକ ତତ୍ୱ ନ ମିଳିବାରୁ ଆମେ ହାଲିଆ ଅନୁଭବ କରିଥାଏ । କାମ କରିବାକୁ ମନରେ ଆଗ୍ରହ ପ୍ରକାଶ ପାଏନାହିଁ । ରକ୍ତଛଣା କାମ କିଡ୍‌ନୀକୁ କରିବାକୁ ପଡ଼ିଥାଏ, ଅସୁସ୍ଥ କିଡ୍‌ନୀ ପ୍ରଭାବରେ ଆମକୁ ବାରମ୍ବାର ପରିସ୍ରା ଲାଗିଥାଏ ।

ପରିସ୍ରାରେ ରକ୍ତ ପଡୁଥିଲେ, ପରିସ୍ରା ଅତି ଦୁର୍ଗନ୍ଧ ହେଉଥିଲେ, କାଳବିଳମ୍ବ ନକରି ଡାକ୍ତରଙ୍କୁ ଭେଟନ୍ତୁ । କିଡ୍‌ନୀ ସମସ୍ୟା କାରଣରୁ ଫୁସଫୁସରେ ପାଣି ଜମିଯାଏ, ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଆପଣଙ୍କ ଚର୍ମର ଉପରି ଭାଗକୁ ଚିକ୍କଣିଆ କରିବା କାମ କିଡ୍‌ନୀର ।

କିଡ୍‌ନୀରେ ସମସ୍ୟା କାରଣରୁ ଶରୀରରେ ତରଳ ପଦାର୍ଥ ହାର କମିଯାଏ, ତା’ କାରଣରୁ ଚର୍ମ ଶୁଖିଯାଏ, ଦେହହାତ କୁଣ୍ଡେଇ ହୁଏ । ରକ୍ତର ଖଣିଜ ସାର ମାତ୍ରା କମିଯାଏ । ଆପଣଙ୍କ ଶରୀରରେ ଏଭଳି କିଛି ଲକ୍ଷଣ ପ୍ରକାଶ ପାଉଥିଲେ, ଆଉ କାହାର ପରାମର୍ଶ ନନେଇ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ମାନିଚଳନ୍ତୁ । ଅଧା ବଇଦ କଥାରେ ପଡ଼ି ମରଣମୁହଁକୁ ଯିବା ଅନୁଚିତ ।