ହୋଲିକା ଦହନ: ଏଭଳି ଭୁଲ କରନ୍ତୁନି, ପସ୍ତେଇବେ
ଅମୃତ ପାନ କରିଥିବାରୁ ରାହୁ ଦୁଇଖଣ୍ଡ ହୋଇ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଗିଳିବାକୁ ବସିଲା….
ହୋଲିକା ରାକ୍ଷସୀ ହୋଇଥିଲେ ମଧ୍ୟ ପ୍ରଭୁ ନାରାୟଣଙ୍କ କୃପାରୁ ମୃତ୍ୟୁପରେ ଲୋକଙ୍କ ସେବାରେ ନିୟୋଜିତ ରହିଛି । ହୋଲିକାଙ୍କ ପୁଅ ରାହୁ ରାକ୍ଷସମାନଙ୍କର ସେନାପତି ଦାୟିତ୍ୱରେ ଥିଲେ । ସମୁଦ୍ର ମନ୍ଥନ ସମୟରେ ରାହୁ ଚତୁରତାର ସହ ଦେବତାଙ୍କ ଭିତରେ ଠିଆ ହୋଇ ଅମୃତ ପାନ କରିବାର ସୁଯୋଗ ପାଇଥିଲା । ମାତ୍ର ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଦୃଷ୍ଟିରେ ରାହୁଙ୍କ ଚାଲାକି ଧରା ପଡ଼ିଯାଇଥିଲା ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଭୁ ନାରାୟଣ ସୁଦର୍ଶନ ଚକ୍ର ବଳରେ ରାହୁକୁ ଦୁଇଖଣ୍ଡ କରିଦେଲେ । ଅମୃତ ପାନ କରିଥିବାରୁ ରାହୁ ଦୁଇଖଣ୍ଡ ହୋଇ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଗିଳିବାକୁ ବସିଲା । ତହୁଁ ପ୍ରଭୁ ନାରାୟଣ ରାହୁ ଓ କେତୁଙ୍କୁ ଗ୍ରହମାନଙ୍କ ଭିତରେ ସ୍ଥାନ ଦେଇ ପୂଜାର୍ଚ୍ଚନା ଲାଭ କରିବାର ବ୍ୟବସ୍ଥା କରିଦେଲେ । ଗ୍ରହରାଜ ଶନିଙ୍କ ହେପାଜତରେ ରହିବାକୁ ରାହୁ ଓ କେତୁଙ୍କୁ ନିର୍ଦ୍ଦେଶ ଦେଲେ ।
ପ୍ରଭୁ ନାରାୟଣଙ୍କ ଉଦାରତାକୁ ମନେପକାଇ ମା’ ହୋଲିକା ଓ ପୁଅ ରାହୁ ଦୋଳ ଓ ହୋଲିଦିନ ଇହଲୋକରେ ରହି ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି । ହୋଲିକା ଦହନ ଦିନ ଏଭଳି କିଛି ତ୍ରୁଟି କଲେ, ରାହୁଙ୍କ କୋପଦୃଷ୍ଟିରେ ପଡ଼ି ଲୋକମାନେ ହିନସ୍ତା ଭୋଗନ୍ତି । ଆସନ୍ତୁ, ରାହୁ ଓ ହୋଲିକାଙ୍କ କୋପଦୃଷ୍ଟିରୁ ରକ୍ଷା ପାଇଁ କିଛି ନିୟମ ମାନି ଚଳିବା ।
୧. ହୋଲିକା ଦହନ ଦିନ କାହାଠାରୁ ପାଣି କି ଖାଦ୍ୟ ଗ୍ରହଣ କରିବା ଅନୁଚିତ । ସେଭଳି କଲେ, ଆପଣଙ୍କ ଉପରେ ରାହୁଙ୍କ କୋପଦୃଷ୍ଟି ପଡ଼ିଥାଏ । ଯାହାଠାରୁ ଆପଣ ଖାଦ୍ୟ ଅବା ପାଣି ଗ୍ରହଣ କରିବେ, ତାଙ୍କର ସବୁ ମଙ୍ଗଳ ହେବ ମାତ୍ର ଆପଣଙ୍କର ସବୁ ବିଘ୍ନ ଘଟିବ ।
୨. ହୋଲିକା ଦହନ ଦିନ କୌଣସି ବ୍ୟକ୍ତିକୁ ଉଧାର ସୂତ୍ରରେ ଟଙ୍କା ଦିଅନ୍ତୁ ନାହିଁ କି ବାକିଆ ଟଙ୍କା ଗ୍ରହଣ କରନ୍ତୁନି । କାହାକୁ ମୂଲ୍ୟବାନ ଅଳଙ୍କାର ବା ଅନ୍ୟାନ୍ୟ ସାମଗ୍ରୀ ଦିଅନ୍ତୁନି । କାହାଠାରୁ ମୂଲ୍ୟବାନ ଦ୍ରବ୍ୟ ଗ୍ରହଣ କରନ୍ତୁନି ।
୩. କେଶକୁ ନୁଖୁରା ଓ ମୁକୁଳା ରଖନ୍ତୁନି: ହୋଲିଦିନ ପୁରୁଷ ଅବା ନାରୀମାନେ କେଶକୁ ମୁକୁଳା ରଖିବା ଅନୁଚିତ । କେଶକୁ ନୁଖୁରା ରଖିବା ଅନୁଚିତ । ମୁଣ୍ଡରେ କିଛି ତେଲ ଲଗାଇ କେଶକୁ ଗଣ୍ଠି ପକାଇବା ଉଚିତ ।
୪. ହଳଦିଆ ଅବା କଳା ପୋଷାକ ଧାରଣ କରନ୍ତୁନି: ହୋଲିଦିନ ହଳଦିଆ ଅବା କଳାବସ୍ତ୍ର ପିନ୍ଧିବା ଅନୁଚିତ । ସେଭଳି କଲେ, ଦୁଷ୍ଟଶକ୍ତି ପ୍ରଭାବରେ ଆପଣଙ୍କ ସ୍ୱାସ୍ଥ୍ୟହାନି ଘଟିବାର ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି, ଚାକିରିରେ ବାଧକ ଆଶଙ୍କା ରହିଛି ।
୫. ହୋଲିକା ଦହନ ଦିନ ରାସ୍ତାରେ ପଡ଼ିଥିବା କୌଣସି ମୂଲ୍ୟବାନ ଜିନିଷ ଉଠାଇ ଘରକୁ ଆଣିବା ମନା । ସେଭଳି କରିବା ଫଳରେ ବାହାରର ଦୁଷ୍ଟଶକ୍ତି ଆପଣଙ୍କ ଉପରେ ସବାର ହୋଇ ଘରକୁ ଆସିବେ । ଆପଣଙ୍କ ପରିବାରକୁ କ୍ଷତିରେ ପକାଇବେ ।