ପ୍ରତି ଭୋଟରଙ୍କର ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବେର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ। ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ମତଦାନ ଶେଷ ହେବ। ମତଦାନ ପୂର୍ବରୁ ପୋଲିଂ ବୁଥଗୁଡ଼ିକ ସାନିଟାଇଜ କରାଯାଉଥିବା ବେଳେ ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବଢ଼ାଯାଇଛି।

ଗୋଟେ ବୁଥରେ ୧,୦୦୦ଭୋଟର ମତଦାନ କରି ପାରିବେ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯାହା ଫଳରେ ସେମାନଙ୍କୁ ମତଦାନ ପାଇଁ କୌଣସି ଅସୁବିଧା ହେବ ନାହିଁ।ଗତକାଲି ପ୍ରଚାର ଶେଷ ହୋଇଥିବା ବେଳେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ପାଇଁ କରାଯାଇଥିବା ସ୍ବତନ୍ତ୍ର ବ୍ୟବସ୍ଥା ବିଷୟରେ ଜଣାଇଛନ୍ତି।

ତେବେ ମତଦାତାମାନେ ମତଦାନ ପାଇଁ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ। ୧୧ଟି ପରିଚୟପତ୍ର ମଧ୍ୟରୁ ‌କୌଣସି ଗୋଟିଏ ପରିଚୟପତ୍ର ସାଥିରେ ନେଇ ପାରିବେ ଭୋଟର। କରୋନା ଆକ୍ରାନ୍ତଙ୍କୁ ମତଦାନ କେନ୍ଦ୍ରକୁ ନଆସିବା ପାଇଁ କୁହାଯାଇଥିବା ବେଳେ ଥଣ୍ଡା, ଛିଙ୍କ ଓ କାଶ ହେଉଥିଲେ ଟୋକନ ନେଇ ଶେଷ ସମୟରେ ଭୋଟ ଦେବାକୁ କୁହାଯାଇଛି। ମତଦାନ ସମୟରେ ବୁଥରେ ଆଶାକର୍ମୀ ଓ ସ୍ବେଚ୍ଛାସେବୀ ଉପସ୍ଥିତ ରହିବେ। ସାମାଜିକ ଦୂରତା ରକ୍ଷା କରି ଭୋଟରଙ୍କୁ ଭୋଟ ଦେବାକୁ କୁହାଯାଇଛି।

ଏଥିସହ ମତଦାନ କେନ୍ଦ୍ରକୁ ଆସୁଥିବା ସମସ୍ତ ମତଦାତାଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ। ଯଦି କାହାର ଶରୀରର ଉତ୍ତାପ ସାଧାରଣ ଠାରୁ ଅଧିକ ଥାଏ କିମ୍ବା କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥାଏ ତେବେ ତାଙ୍କୁ ଏକ ଟୋକନ୍ ଦିଆଯାଇ ଫେରାଇ ଦିଆଯିବ। ସେମାନେ ମତଦାନ ଶେଷ ପର୍ଯ୍ୟାୟରେ ଆସି ଏକାକୀ ଭୋଟ୍ ଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।