ସନ୍ଧ୍ୟା ସୁଦ୍ଧା ଭାରତରେ ପହଞ୍ଚିବ ଆଉ ୩ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଆଜି ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚୁଛି। ଏହି ବିମାନ ଆସିବା ଫଳରେ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବା ସହ ଯୁଦ୍ଧକ୍ଷେତ୍ରରେ ଶତ୍ରୁମାନଙ୍କୁ ଧୂଳି ଚଟାଇବ । ପୂର୍ବଥର ପରି ଏଥର ମଧ୍ୟ ୩ଟି ଯାକ ରାଫେଲ ଜେଟ୍‌ ହରିଆଣା ସ୍ଥିତ ଅମ୍ବାଲା ଏୟାରବେସ୍‌ରେ ଭାରତୀୟ ମାଟିକୁ ସ୍ପର୍ଶ କରିବ। ବୁଧବାର ସନ୍ଧ୍ୟା ସୁଦ୍ଧା ରାଫେଲ ଭାରତରେ ପହଞ୍ଚି ସାରିଥିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ଏହି ତିନୋଟି ରାଫେଲ ଯୁଦ୍ଧ ବିମାନ ରାସ୍ତାରେ କୌଣସି ସ୍ଥାନରେ ନଅଟକି ସିଧା ଭାରତରେ ପହଞ୍ଚିବ। ପୂର୍ବରୁ ଫ୍ରାନ୍ସରୁ ଆସିଥିବା ରାଫେଲ ଯୁଦ୍ଧ ବିମାନ ବାଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଅଟକିଥିଲା। ଭାରତରେ ଗତ ଜୁଲାଇ ୨୮ରେ ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଫ୍ରାନ୍ସ ସରକାର ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ‌ ଭାରତକୁ ଦେଇଥିଲେ। ଏହା ବିଧିବଦ୍ଧ ଭାବେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ଏହି ୫ଟି ରାଫେଲ ଯୁଦ୍ଧ ବିମାନ ବର୍ତ୍ତମାନ ଲଦାଖରେ ମୁତୟନ କରାଯାଇଛି। ଚାଇନା ସହ ସୀମା ବିବାଦ ବଢ଼ୁଥିବାରୁ ଭାରତ ସରକାର ରାଫେଲକୁ ଲଦାଖରେ ହିଁ ରଖିଛନ୍ତି।

ତେବେ ଏବେ ଆସିବାକୁ ଥିବା ୩ଟି ରାଫେଲ ଯୁଦ୍ଧ ବିମାନ କେଉଁଠି ମୁତୟନ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।