ୱାସିଂଟନ୍: ଭୋଟ୍ ଗଣତି ବାକି ଥିବା ବେଳେ ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଏହାସହ ସହ ଭୋଟ୍ ଜାଲିଆତି ହୋଇଥିବା ଅଭିଯୋଗ କରି ସୁପ୍ରିମ୍ କୋର୍ଟକୁ ଯିବେ ବୋଲି ବୁଧବାର ଦିନ ହ୍ବାଇଟ୍ ହାଉସ୍ରେ ଭାଷଣ ଦେଇ ଟ୍ରମ୍ପ୍ କହିଛନ୍ତି।
ଜିତିବାକୁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍ କଲେଜ୍ ଭୋଟ୍ ପାଖାପାଖି ହୋଇ ନ ଥିଲେ ସୁଦ୍ଧା ଟ୍ରମ୍ପ୍ କହିଛନ୍ତି, ଆମେ ଏହି ନିର୍ବାଚନରେ ବିଜୟୀ ହୋଇଛୁ। ନିର୍ବାଚନ ପ୍ରକ୍ରିୟା ବନ୍ଦ କରାଇବାକୁ ଉଦ୍ୟମ କରିବା ସହ ରାତି ୨.୩୦ରେ ଅନୁଷ୍ଠିତ ଏହି ସଭାରେ ସମର୍ଥକମାନଙ୍କୁ ଉତ୍ସାହ ଦେଇ ଟ୍ରମ୍ପ୍ କହିଲେ, ଆମେ ଏହି ନିର୍ବାଚନରେ ବିଜୟୀ ହେବା। ଆମର ସ୍ଥିତି ଯାହା କହୁଛି, ଆମେ ନିର୍ବାଚନ ଜିତି ସାରିଛନ୍ତି।

ଟ୍ରମ୍ପ୍ ଅଭିଯୋଗ କରିଛନ୍ତି ଯେ, ଡେମୋକ୍ରାଟ୍ମାନେ ଭୋଟ୍ ଜାଲିଆତି କରିଛନ୍ତି। ତେଣୁ ଭୋର୍ ୪ଟା ପରେ ଭୋଟ୍ ଗଣନା ବନ୍ଦ କରାଯାଉ। ଏ ସଂକ୍ରାନ୍ତରେ ସୁପ୍ରିମ୍ କୋର୍ଟରେ ଟ୍ରମ୍ପ୍ ଅଭିଯୋଗ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। , ଭୋଟ୍ ଗଣନା ପ୍ରକ୍ରିୟା ରାଜ୍ୟମାନଙ୍କ ପରିସରଭୁକ୍ତ ହୋଇଥିବାରୁ ଏହାକୁ ବନ୍ଦ କରାଇବାରେ ଆଇନର ବିଶେଷ ଭୂମିକା ନାହିଁ।
ଭୋଟ୍ ଗଣତି ଚାଲିଥିବା ପେନ୍ସିଲ୍ଭାନିଆ, ମିଚିଗାନ୍, ୱିସକନ୍ସିନ୍, ଜର୍ଜିଆ ଏବଂ ନର୍ଥ କାରୋଲିନା ଆଦି ରାଜ୍ୟରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବେ ବୋଲି ଟ୍ରମ୍ପ୍ ଦାବି କରିଛନ୍ତି। ସେ ଏତେ ସଂଖ୍ୟାରେ ବିଜୟ ହାସଲ କରିବେ ଯେ, ଡେମୋକ୍ରାଟ୍ମାନେ ତାଙ୍କ ପାଖାପାଖି ମଧ୍ୟ ପହଞ୍ଚିପାରିବେ ନାହିଁ।
ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ’ ବାଇଡେନ୍ ୨୩୮ ଭୋଟ୍ ସହ ଆଗୁଆ ଥିବା ବେଳେ ରିପବ୍ଲିକାନ୍ ପ୍ରାର୍ଥୀ ରାଷ୍ଟ୍ରପତି ଟ୍ରମ୍ପ୍ ୨୧୩ ଭୋଟ୍ ପାଇଛନ୍ତି।