ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ମେନୁରେ ସାମିଲ ହେଲା ମାଣ୍ଡିଆ । ଏଣିକି ଏମ୍ସ ପରି ଜାତୀୟ ପ୍ରତିଷ୍ଠାନରେ ବି ରୋଗୀ ଏବଂ ଛାତ୍ରଛାତ୍ରୀ ଖାଇବେ ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ଖାଦ୍ୟ। ପବିତ୍ର ଉତ୍କଳ ଦିବସ ଅବସରରେ ଏମ୍ସର ଖାଦ୍ୟ ତାଲିକାରେ ମାଣ୍ଡିଆକୁ ସାମିଲ୍ କରାଯାଇଛି। ଏହି ଅବସରରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମସ୍ତଙ୍କ ସହ ବସି ମାଣ୍ଡିଆରେ ତିଆରି ପୁଷ୍ଟିକର ଆହାର ଖାଇବା ସହିତ ସମସ୍ତଙ୍କୁ ଏହା ବିତରଣ ମଧ୍ୟ କରିଥିଲେ।
ମାଣ୍ଡିଆର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍ସ ଓପିଡ଼ିରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେ ମାଣ୍ଡିଆର ଉପକାରିତା ବୁଝାଇବା ସହିତ ଆମର ଏହି ଦେଶୀ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି।