ଏପ୍ରିଲ୍ ୧୯ ବିଶ୍ବ ଯକୃତ ଦିବସ

19th April World Liver Day

ଶରୀରର ମସ୍ତିଷ୍କ ପରେ ବା ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଓ ଜଟିଳ ଅଙ୍ଗ ହେଉଛି ଯକୃତ । ଏପ୍ରିଲ୍ ୧୯ ତାରିଖକୁ ବିଶ୍ବ ଯକୃତ ଦିବସ ଭାବେ ପାଳନ କରାଯାଏ ସମଗ୍ର ପୃଥିବୀରେ। ଯକୃତକୁ ସୁସ୍ଥ ତଥା ଏହା ସମ୍ବନ୍ଧୀୟ ବିଭିନ୍ନ ରୋଗ ବାବଦରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ବିଶେଷତ୍ୱ। ଶରୀରରେ ହଜମ, ବିପାକ କ୍ରିୟା, ରୋଗପ୍ରତିରୋଧକତା ବୃଦ୍ଧି ସମେତ ଶରୀରରେ ପୋଷକ ତତ୍ତ୍ବର ସଞ୍ଜୟ ସହ ଜଡ଼ିତ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଯକୃତ କରିଥାଏ।

ଶରୀରର ବିଷାକ୍ତ ପଦାର୍ଥକୁ ଏହା ବାହାରକୁ ନିଷ୍କାସିତ କରିଥାଏ। ଯକୃତ ଶରୀରରେ ସଂକ୍ରମଣକୁ ରୋକିବା ସହ, ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ, ଶରୀରରେ ଚର୍ବି କମ୍‌ କରିବା ସହ ପ୍ରୋଟିନ ତିଆରି କରିବାରେ ସାହାଯ୍ୟ କରେ।

ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁଁ ମଧ୍ୟ ଯକୃତ ନଷ୍ଟ ହୋଇଯାଇଥାଏ । ଯକୃତ ଖରାପ ହୋଇଗଲେ ପ୍ରତିରୋପଣ ବ୍ୟତୀତ ଅନ୍ୟ ଉପାୟ ନାହିଁ। ଏଣୁ ଏ ଦୃଷ୍ଟିରୁ ଯକୃତକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଆହାର ଖାଇବା ସହ ନିୟମିତ ଯୋଗ, ବ୍ୟାୟାମ ଉପରେ ସମସ୍ତଙ୍କୁ ଗୁରୁତ୍ବ ଦେବା ଦରକାର।

ସାଧାରଣତଃ ଯକୃତ ରୋଗ କହିଲେ ଏଭଳି ଅବସ୍ଥାକୁ ବୁଝାଏ ଯାହା ଯକୃତକୁ ନଷ୍ଟ କରିଦେବା ସହ ତାହାକୁ ତାହାର ସ୍ବାଭାବିକ କାର୍ଯ୍ୟ କରାଇ ଦେଇନଥାଏ। ୬୦ରୁ ୭୦ ପ୍ରତିଶତ ଯାଏ କ୍ଷତିଗ୍ରସ୍ତ ହେବା ପରେ ମଧ୍ୟ ପୁନର୍ବାର ବଢ଼ିପାରେ ବା ସାନି ସୃଷ୍ଟି ହେବାର ଦକ୍ଷତା ରଖିଛି, ତେବେ ଏଥିରେ କୌଣସି ଅସ୍ବାଭାବିକତା ହିଁ ଗୁରୁତର ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଥାଏ। ସାରା ବିଶ୍ବରେ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଲୋକଙ୍କର ଯକୃତ ସହ ଜଡ଼ିତ ରୋଗରେ ମୃତ୍ୟୁ ଘଟୁଛି।

ଜନସଚେତନତା ସୃଷ୍ଟି ପାଇଁ ଯକୃତ ପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ ସହ ଜଡ଼ିତ ବିଭିନ୍ନ ରୋଗ ସମ୍ପର୍କରେ ଏପରି ଦିବସ ପାଳିତ ହେଉଛି। ବିଶେଷ କରି ଯକୃତ ରୋଗର ଗମ୍ଭୀରତା, ପ୍ରାରମ୍ଭିକ ଚିହ୍ନଟ ଏବଂ ନିରାକରଣ ବାବଦରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ଦିବସ ପାଳନକୁ ମାଧ୍ୟମ କରାଯାଇଛି।