ମୋଦିଙ୍କର ଛାଡ଼ିଗଲା ଗୋଲାପୀ ନୋଟ୍ ନିଶା
ସାରା ଭାରତ ଗୋଲାପୀ ନୋଟ୍ ପ୍ରେମରେ ମତୁଆଲା ଥିଲାବେଳେ ପ୍ରଧାନମନ୍ତ୍ରୀ ମୋଦି ଫତୁଆ ଜାରି କରିଦେଲେ । ପରିଣାମ ସ୍ୱରୂପ ବଜାରରୁ ସବୁ ଗୋଲାପୀ ନୋଟ ଏବେ ରିଜର୍ଭ ବ୍ୟାଙ୍କ ମୁହାଁ । ସମସ୍ତେ ତଟସ୍ଥ । ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଗୋଲାପୀ ନୋଟ୍ ପ୍ରେମରେ ପଡ଼ିଲେ । ମାତ୍ର କେଇଟା ବର୍ଷରେ ପ୍ରେମ ସରିଗଲା । କି ଭୁଲ କଲା ଗୋଲାପୀ ନୋଟ୍? ସେ ତ କେବେ ନିଜଆଡୁ ମୋଦିଙ୍କୁ ପ୍ରେମ ନିବେଦନ କରି ନଥିଲା । ଖୋଦ ମୋଦି ତାକୁ ଆଦରି ନେଇଥିଲେ ।
ପରେପରେ ସାରାଦେଶକୁ ଗୋଲାପୀ ନୋଟ୍ ପ୍ରେମରେ ପାଗଳ କରିଦେଲେ । ପିଲାଠାରୁ ବୁଢ଼ା ସମସ୍ତେ ହାତରେ ଗୋଲାପୀ ନୋଟ୍ ପାଇ ପାରିଜାତ ଧରିଥିବାର ଆନନ୍ଦ ପାଉଥିଲେ । ଅଧିକାଂଶ ଯୁବକ ଯୁବତୀ, ପୁରୁଷ ମହିଳା ଗୋଲାପୀ ନୋଟଟିଏ ପାଇଲା ମାତ୍ରେ ସାଇତି ରଖୁଥିଲେ । ଗୋଲାପୀ ନୋଟ ପ୍ରଚଳନର କିଛି ମାସ ଭିତରେ ପ୍ରଥମେ ବ୍ୟାଙ୍କ ପକ୍ଷରୁ ଜମାକାରୀଙ୍କୁ ଗୋଲାପୀ ନୋଟ ଦେବା ବନ୍ଦ କରିଦେଲେ । ବଜାରରୁ ଯୋଉ ଗୋଲାପୀ ନୋଟ୍ ବ୍ୟାଙ୍କକୁ ଗଲା, ସେ ୫୦୦ ଟଙ୍କିଆ ନୋଟରେ ପରିଣତ ହୋଇ ଜମାକାରୀଙ୍କ ହାତକୁ ଆସିଲା ।
କ୍ରମେ ବଜାରରେ ଆଉ ଦେଖିବାକୁ ମିଳିଲାନି ଗୋଲାପୀ ନୋଟ୍ । ଲୋକଙ୍କ ମନରୁ ଗୋଲାପୀ ନୋଟ୍ ପ୍ରେମ ଛଡ଼ାଇବା ପାଇଁ ଶେଷକୁ ରିଜର୍ଭ ବ୍ୟାଙ୍କ ଆଗକୁ ଆସିଲା । ଗୋଲାପୀ ନୋଟ୍ ମାୟା ଖଟିଖିଆଙ୍କ ମନରୁ ଚାଲିଗଲା ମାତ୍ର ରହିଗଲା ଧନୀକଙ୍କ ମନରେ । ଫଳ ସ୍ୱରୂପ ଗୋଲାପୀ ନୋଟର ସ୍ଥାୟୀ ଠିକଣା ଲକ୍ଷପତି ଓ କୋଟିପତିଙ୍କ ସିନ୍ଦୁକ ହୋଇଗଲା ।
ମାତ୍ର ୬ ବର୍ଷ କାଳ ଲୋକଙ୍କ ହୃଦୟରେ ରାଜ କଲା ପରେ ଗୋଲାପୀ ନୋଟର ମେଲାଣି ସମୟ ଘୋଷଣା କରିଦେଲେ ସରକାର । ଲୋକଙ୍କ ମନକୁ ଦଳି ମକଚି ଦେବା ଆମ ସରକାରଙ୍କର ପୁରୁଣା ରୋଗ । ମୋଦି ସରକାରଙ୍କ ନିର୍ଦ୍ଦେଶ କ୍ରମେ ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ସୁଦ୍ଧା ଗୋଲାପୀ ଟଙ୍କାଗୁଡ଼ିକ ବ୍ୟାଙ୍କରେ ବଦଳାଇବାକୁ ପରାମର୍ଶ ଦେଇଛନ୍ତି ।