୨୦ଟି ପ୍ରାଣ ନେବା ପରେ ଥଣ୍ଡା ହେଲେନି ସୂର୍ଯ୍ୟ

ଭୁବନେଶ୍ୱର: ସୂର୍ଯ୍ୟଙ୍କ ଦାଉ ସହି ନପାରି ରାଜ୍ୟରେ ୨୦ ଜଣ ପ୍ରାଣ ହରାଇ ସାରିଛନ୍ତି । ସରକାରୀ ସୂଚନା ମୁତାବକ ଜଣେ ବ୍ୟକ୍ତିଙ୍କ ଜୀବନ ଗରମ ହାୱା କାରଣରୁ ଯାଇଛି । ଅନ୍ୟ ଲୋକଙ୍କ ମୃତ୍ୟୁର କାରଣ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ତଦନ୍ତ କରୁଛନ୍ତି । ଯୋଉ ମହାଶୟ ଅଂଶୁଘାତ କାରଣରୁ ପ୍ରାଣ ହରାଇଛନ୍ତି । ତାଙ୍କ ପରିବାରକୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯାଇଛି । ଅନ୍ୟ ଯୋଉମାନେ ଅଂଶୁଘାତ ଜନିତ ପ୍ରାଣ ହରାଇଥିବେ, ସେମାନଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ସମୀକ୍ଷା କରିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ଆହୁରି ତିନିଦିନ ତତଲା କଡେ଼ଇରେ ବସି ରାଜ୍ୟବାସୀ । ତେଣୁ ଲୋକଙ୍କ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଟାଣଖରାରେ ବାହାରକୁ ଯିବା ପାଇଁ ବାରଣ କରାଯାଇଛି।

ଚଳିତ ବର୍ଷ ଖରାର ତେଜ ରେକର୍ଡ ଭାଙ୍ଗିଛି । ରଜ ପାଖାପାଖି ମାଟିକୁ ଟୋପାଏ ପାଣି ମିଳିଛି । ମାତ୍ର ସେତିକି ପାଣି ପାଇଁ ମାଟି ଭିତରୁ ବାମ୍ଫ ବାହାରୁଛି । ବସୁମତୀ ସ୍ନାନ ଦିନ ମାଟି ଭିଜିବାର ପରମ୍ପରା ରହିଛି । ହେଲେ ଏସନ ବସୁମତୀ ପାଣି ପାଇଲେନି । ସତେ ଯେପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସୂର୍ଯ୍ୟଦେବତା କୋପ କରିଛନ୍ତି । ଆକାଶରୁ ପାଣି ପଡ଼ିଛି, ମାତ୍ର ମୌସୁମୀ ଆସିନି।

ଖାଲି ସୂର୍ଯ୍ୟ ଦେବତାଙ୍କୁ ଦୋଷ ଦେଇ ଲାଭ ନାହିଁ । ବରଷା ରାଣୀ ମଧ୍ୟ ଅଭିମାନ କରିଛନ୍ତି । ସୂଚନା ମୁତାବକ ଗତ କିଛିଦିନ ଧରି ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ଛଟପଟ ହେଉଛି।