‘ଆଦିପୁରୁଷ’ ଚଳଚ୍ଚିତ୍ର ସଂପର୍କୀତ ଆଗତ ଏକ ମାମଲାର ବିଚାର ଚାଲିଥିବା ସମୟରେ ଆଲ୍ଲାହାବାଦ କୋର୍ଟ ଟୀପ୍ପଣୀ କରିଛନ୍ତି ଯେ ସବୁବେଳେ ହିନ୍ଦୁମାନେ ଅଗ୍ନିପରୀକ୍ଷା ଦେଉଛନ୍ତି । ଦେଶର କିଛି ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକମାନେ କେବଳ ହିନ୍ଦୁଙ୍କ ଧାର୍ମିକ ଭାବନା ସହ ଖେଳୁଛନ୍ତି । ପୁରାଣ ବିଷୟବସ୍ତୁକୁ ଏଭଳି ପ୍ରଦର୍ଶନ କରାଯାଉଛି ଯାହା ଅରୁଚିକର ମନେହେଉଛି । #କୋର୍ଟ ଚଳଚ୍ଚିତ୍ର ‘ଆଦିପୁରୁଷ’ର ସଂଳାପକୁ ନାପସନ୍ଦ କରିଛନ୍ତି । ତା’ ସହିତ ଚଳଚ୍ଚିତ୍ରଟିରେ ଭଗବାନ ରାମ ଓ ଭଗବାନ ହନୁମାନଙ୍କୁ ଯୋଉଭଳି ଭାବେ ଅବତୀର୍ଣ୍ଣ କରାଯାଇଛି, ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି । ଚଳଚ୍ଚିତ୍ର ନିର୍ମାତାଙ୍କ ସହିତ ଆଲୋଚନା କରିଛନ୍ତି । ଚଳଚ୍ଚିତ୍ରଟିର ସହ-ଲେଖକ ମନୋଜ ମୁଂତଶିରଙ୍କୁ ନୋଟିସ ଜାରି କରିଛନ୍ତି । ଚଳଚ୍ଚିତ୍ରଟିକୁ ଏଭଳିି ଭାବେ ପ୍ରସ୍ତୁତ କରିବାର କାରଣ ଦର୍ଶାଇବାକୁ ସପ୍ତାହେ ମହଲତ ଦିଆଯାଇଛି ।
କୋର୍ଟ ଆହୁରି କହିଛନ୍ତି, ଡାକ୍ତରଙ୍କୁ ଔଷଧ ବିଷୟରେ ଉପଦେଶ ଦେବା ଦରକାର ପଡେ଼ନା । ଠିକ୍ ସେହିଭଳି ଭାରତୀୟଙ୍କ ମନ ଓ ପ୍ରାଣରେ ରାମାୟଣର ପ୍ରତିଟି ଚରିତ୍ର ଘର କରିସାରିଛନ୍ତି । ରାମାୟଣକୁ ପବିତ୍ର ଗ୍ରନ୍ଥ ମାନୁଥିବା ଲୋକମାନେ ଚଳଚ୍ଚିତ୍ରଟିକୁ ଦେଖି ଚୁପଚାପ ରହିବା ସବୁଠାରୁ ବଡ଼ କଥା । ଲୋକମାନେ ସେଭଳି କୌଣସି ପ୍ରତିହିଂସା ପରାୟଣତା ଦେଖାଇନାହାନ୍ତି । ତାହା ହିନ୍ଦୁମାନଙ୍କର ସହନଶୀଳତାକୁ ବୁଝାଉଛି । ଚଳଚ୍ଚିତ୍ରଟିର ପ୍ରଯୋଜକ ଓ ନିର୍ଦ୍ଦେଶକ ଲୋକଙ୍କ ସହନଶୀଳତାକୁ ମାନିନେବା ଉଚିତ । ଲୋକମାନେ ଚଳଚ୍ଚିତ୍ର ପ୍ରଦର୍ଶନକୁ ବନ୍ଦ କରିଛନ୍ତି, ହଲଟିକୁ ଭଙ୍ଗାରୁଜା କରିନାହାନ୍ତି ।
ଏଭଳି କିଛି #ଧର୍ମଗ୍ରନ୍ଥ ରହିଛି ଯାହା ସର୍ବଦା ପୂଜନୀୟ । ଅଧିକାଂଶ ଲୋକଙ୍କ ଘରେ ରାମଚରିତ ମାନସ ପଢ଼ାଯାଉଛି । ରାମାୟଣକୁ କଦର୍ଯ୍ୟ ଭାବେ ତିଆରି କରିବା ନିହାତି ଲଜ୍ଜାକର ଘଟଣା ।
ଇତିମଧ୍ୟରେ କରନୀ ସେନାର କିଛି କର୍ମୀ ମୁମ୍ବାଇସ୍ଥିତ ଟି-ସିରିଜ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନେ ଆଦିପୁରୁଷ ନିର୍ଦ୍ଦେଶକ ଓମ ରାଉତଙ୍କ ବିରୋଧରେ ସ୍ଲୋଗାନମାନ ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା ।