ଡିଜିଟାଲ ଇଣ୍ଡିଆର ଲୋକମାନେ ସହଜରେ ସାଇବର ଠକାମିରେ ପଡ଼ି ଯାଉଛନ୍ତି । ଅନ୍ ଲାଇନ୍ କଥା ଛାଡ଼ନ୍ତୁ, ଅଫ୍ ଲାଇନରେ ମଧ୍ୟ ଭାରତର ବିକାଶ ଧାରା ଯେତିକି ଦ୍ରୁତଗତିରେ ଆଗେଇଚାଲିଛି, ତା’ ସହିତ ପାଦ ମିଳାଇବା ଆମ ଲୋକଙ୍କ ପକ୍ଷେ କାଠିକର ପାଠ ହୋଇପଡିଛି । ତା’ ନ ହୋଇଥିଲେ ଜଣେ ଲୋକ ଫ୍ଲାଟ ଦେବ କହି ସାଧାରଣ ଲୋକଙ୍କଠାରୁ ଟଙ୍କା ଠକି ନେଇଥାନ୍ତା? ଘଟଣାଟି ଯେତିକି ସହଜ ବୋଲି ଭାବୁଛନ୍ତି, ସେମିତି କିଛି ନୁହେଁ । ୟେ ରାଜଧାନୀରେ ଯେ ପାଦ ଦେଇଛି, ସେ ତା’ର ମାୟାରେ ପଡ଼ିଯାଇଛି । ସରକାରୀ ପିଅନଟିଏ ହୋଇଥାନ୍ତୁ ନା କାହିଁକି? କୋଉଠି କେମିତି ଗଳିପଶି ଜାଗାଖଣ୍ଡେ ପକାଇଦେଲେ, ବୁଢ଼ାବେଳଟା ଆରାମରେ କଟିଯିବ ।
ଆମେ ଏମିତି ଜଣେ ଭାଡ଼ି ରଙ୍କାଳିଆଙ୍କ କଥା କହୁଛୁ ଯେ ୨୦୧୬ ମସିହାରେ ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡକୁ ଆଗୁଆ ୧୬ ଲକ୍ଷ ଟଙ୍କା ଦେଇଥିଲେ । ସଂପୃକ୍ତ ବିଲଡର ମହୋଦୟ ଟଙ୍କା ପାଇବା ପରେ ରାଜିନାମା ମଧ୍ୟ କରିଥିଲେ ଯେ ୩୦ ମାସ ଭିତରେ ଫ୍ଲାଟ୍ ନଦେଲେ ଟଙ୍କା ଫେରାଇଦେବ । କିନ୍ତୁ ଟଙ୍କା ଦେବାକୁ ୮ ବର୍ଷ ପୁରିଗଲା ମାତ୍ର ଫ୍ଲାଟ ମିଳିଲାନି । ଟଙ୍କା ଦେଇଥିବା ଲୋକ ରସୁଲଗଡ଼ ଅଂଚଳର ସ୍ୱଦେଶ ରାୟ ଚୌଧୁରୀ ଓ ଟଙ୍କା ନେଇଥିବା ଲୋକ ସନ୍ତୋଷ କୁମାର ରଥ ।
କହିବା କଥା ହେଉଛି, ରାଜିନାମା ମୁତାବକ ୩୦ ମାସ ବିତିଯିବା ପରେ ଫ୍ଲାଟ୍ ନପାଇଥିବା ଅଭିଯୋଗରେ ସ୍ୱଦେଶ ରାୟ କ’ଣ ପାଇଁ ପୁଲିସ ନିକଟକୁ ଗଲେ ନାହିଁ? ୟେ ଘଟଣା ପଛରେ ଆଉ କିଛି ଭିତିରିଆ ସଲାସୁତୁରା ଥିଲା ଯାହାକୁ ନେଇ ସ୍ୱଦେଶ ଦୀର୍ଘ ୮ ବର୍ଷ ଅପେକ୍ଷା କରିଥିଲେ । ଉକ୍ତ ସ୍ୱାର୍ଥ ପୂରଣ ନହେବାରୁ ଏବେ ଇଓଡବ୍ଲ୍ୟୁ ନିକଟରେ ଫେରାଦ ହୋଇଛନ୍ତି ।
ଯାହା ହେଉ, ଅଭିଯୁକ୍ତ ସନ୍ତୋଷ କୁମାର ରଥ ଏବେ ଜେଲକୁ ଯିବାଟା ଥୟ । ବାଟରେ ଝାଡ଼ା ଫେରିଲେ ଦୁର୍ନାମ, ହାଟରେ ମନ୍ଦିରେ କଲେ ସୁନାମ । ଜଣେ ୧୬ ଲକ୍ଷ ଟଙ୍କା ଗଣି ବୋକାମିର ପରିଚୟ ଦେଇଛନ୍ତି । ଆଉ ଜଣେ ୧୬ ଲକ୍ଷ ଟଙ୍କା ନେଇ ଚାଲାକିର ପରିଚୟ ଦେଇଛନ୍ତି । ଆପଣମାନେ କାହାକୁ ସାବାସି ଦେବେ ଚିନ୍ତା କରନ୍ତୁ ।