ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବୁଧବାର, ୧୬ ଅଗଷ୍ଟ, ୨୦୨୩ ଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ପୁରୀ ଓ ଭୁବନେଶ୍ୱର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ସେ ପୁରୀ ଗସ୍ତ କରିବେ।

ଶ୍ରୀମତୀ ସୀତାରମଣ ଗୁରୁବାର ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ । ଏହାପରେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ଶଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିବେ। ପୂର୍ବାହ୍ନ ପ୍ରାୟ ସାଢ଼େ ଦଶଟା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ। ଏହାପରେ ସେ ଭୁବନେଶ୍ୱର ଫେରିଆସିବେ ।

ଗୁରୁବାର ଅପରାହ୍ଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱର ଠାରେ କୁଇ ଓ ଦେଶୀୟ ଭାଷା ଉପରେ ଏକ ପୁସ୍ତକ ଉନ୍ମୋଚନ କରିବେ। ସେହିଦିନ ଅପରାହ୍ଣ ୫ଟା ସମୟରେ ଶ୍ରୀମତୀ ସୀତାରମଣ ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ବିଂଶତମ ଜାତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ରାତିରେ କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ ଫେରିଯିବେ।