ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଜଣେ ଏୟାର ହୋଷ୍ଟେସଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ପୁଲିସ ତାଙ୍କ ଫ୍ଲାଟରୁ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ କରି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ହତ୍ୟାର କାରଣ ଜାଣିବାକୁ ପୁଲିସ ଉଦ୍ୟମ ଜାରି ରଖିଛି । ମୁମ୍ବାଇର ପଓଇ ଇଲାକାରେ ଘଟଣାଟି ଘଟିଛି । ପୁଲିସ କହିବା ମୁତାବକ, ମୃତ ଏୟାର ହୋଷ୍ଟେସଙ୍କ ନାମ ରୁପଲ ଓଗ୍ରେ ।
ଗିରଫ ଯୁବକଙ୍କ ସହିତ ରୁପଲଙ୍କର କି ପ୍ରକାର ସଂପର୍କ ଥିଲା? କୋଉ କାରଣରୁ ସେ ରୁପଲଙ୍କୁ ହତ୍ୟା କଲେ? ଏଭଳି ବହୁତ ଅଡୁଆ ସୂତାର ଖିଅ ଖୋଲିବାକୁ ଚେଷ୍ଟା କରୁଛି ପୁଲିସ । ରୁପଲ ତାଙ୍କର ସାନଭଉଣୀ ସହ ଫ୍ଲାଟରେ ରହୁଥିଲେ । ମାତ୍ର କିଛିଦିନ ତଳେ ତାଙ୍କର ସାନଭଉଣୀ ଶାଶୁଘରକୁ ଚାଲି ଯାଇଥିଲେ । ରୁପଲ ଏକୁଟିଆ ଫ୍ଲାଟରେ ରହୁଥିଲେ । ଗିରଫ ଯୁବକ ଗୋଟିଏ ଘରୋଇ ହାଉସକିପିଂ ଫାର୍ମରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ।