ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଆଧାରରେ ହୋଇଥିବା ଆର୍ଥିକ କାରବାରକୁ ମନି ଲଣ୍ଡରିଂ ପରିସରଭୁକ୍ତ କରି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗ୍ରହଣ କରା ଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
କ୍ଷମତାସୀନ ଦଳ ବା ମେଂଟ ସର୍ବୋପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଛାନୁସାରେ ଇଡି କାମ କରୁଛି ବୋଲି ସୁପ୍ରିମକୋର୍ଟଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ।
ଦିଲ୍ଲୀ ଅବକାରୀ ନୀତିର ଦୁରୂପଯୋଗ ଅଭିଯୋଗରେ ଇଡି ଆପ୍ ନେତା ମନିଷ ସିସୋଦିୟା, ସତ୍ୟେନ୍ଦ୍ର ଜୈନ ଓ ସଂଜୟ ସିଂଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି । ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଇଡି ପକ୍ଷରୁ ପ୍ରତିବାଦ କରାଯାଉଛି । ଇଡି ଓକିଲ କହୁଛନ୍ତି ଯେ ଅଭିଯୁକ୍ତମାନେ ଜାମିନ ବଳରେ ବାହାରକୁ ଗଲେ, ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି । ପ୍ରମାଣଗୁଡ଼ିକ ନଷ୍ଟ କରିପାରନ୍ତି ।
ଅଭିଯୁକ୍ତ ରାଜନେତାଙ୍କ ଜାମିନ ଆବେଦନକୁ ବାରମ୍ବାର ନାମଞ୍ଜୁର କରି ଅଧିକ ଦିନ ଜେଲରେ ରଖା ଯାଇପାରିବନି ବୋଲି ସୁପ୍ରିମକୋର୍ଟ କହି ସାରିଲେଣି ।
ଇଡି ଯୋଉ ବ୍ୟକ୍ତିଙ୍କୁ ଅଭିଯୁକ୍ତ କରି ଜେଲକୁ ପଠାଇଥିଲା । ସେହି ବ୍ୟକ୍ତିଙ୍କ ବୟାନକୁ ବିଶ୍ୱାସ କରି ଆପ୍ ନେତାମାନଙ୍କୁ ଗିରଫ କରି ଜେଲକୁ ପଠାଇବା ଘଟଣାରେ ସୁପ୍ରିମକୋର୍ଟ ଇଡିର ଅସଲ ଉଦ୍ଦେଶ୍ୟକୁ କଟାକ୍ଷ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ଦୃଷ୍ଟିରେ ଇଡି କ୍ଷମତାସୀନ ମେଂଟ ପାଇଁ କାମ କରୁଥିବାର ପ୍ରତୀୟମାନ ହୋଇଛି । ନିକଟରେ ଦିଲ୍ଲୀର ଜଣେ ମଦ ବ୍ୟବସାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ମହାମାନ୍ୟ ସୁପ୍ରିମକୋର୍ଟ । ସଂପୃକ୍ତ ବ୍ୟକ୍ତିଙ୍କ ଜାମିନକୁ ଅସ୍ତ୍ର ଭାବେ ବ୍ୟବହାର କରି ମନିଷ ସିସୋଦିୟା, ସତ୍ୟେନ୍ଦ୍ର ଜୈନ ଓ ସଂଜୟ ସିଂ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି ।