ମା’ ନୁହେଁ ଡାହାଣୀ: ଚାରିବର୍ଷର ପୁଅକୁ ମାରିଦେଲେ
ବେଙ୍ଗାଲୁରୁ: ବାପା-ପୁଅ ଭିତରେ ଭେଟ ନ କରାଇବା ଜିଦରେ ଜଣେ ମା’ ତାଙ୍କର ଚାରିବର୍ଷର ପୁଅକୁ ନିର୍ମମ ହତ୍ୟା କରି ପୁଲିସ ହାତରେ ଧରାପଡ଼ିଛନ୍ତି । ହତ୍ୟାକାରୀ ମା’ ଜଣେ ଉଚ୍ଚଶିକ୍ଷିତା । ଆପଣା ଜିଦକୁ ବଜାୟ ରଖିବା ପାଇଁ ମା’ ଡାକଟିକୁ ବଦନାମ କରି ଦେଇଛନ୍ତି । ଜଣେ କାବ୍ ଚାଳକ ହତ୍ୟାକାରୀ ମା’ଙ୍କ ପର୍ଦ୍ଦାଫାସ କରିଛନ୍ତି ।
ଗୋଟିଏ ମୁହୂର୍ତ ପାଇଁ ହତ୍ୟାକାରୀ ମା’ ସୂଚନା ସେଠ ଡାହାଣୀ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ । କିନ୍ତୁ ମା’ ଚରିତ୍ରକୁ ଫେରିଲା ପରେ ସବୁକିଛି ଓଲଟ ପାଲଟ ହୋଇ ଯାଇଥିଲା । ପାଖରେ ମରି ପଡ଼ିଥିଲା ଚାରିବର୍ଷର ପୁଅ । କ’ଣ କରିବେ? ମୁଣ୍ଡ କାମ କରି ନଥିଲା ।
ଆର୍ଟିଫିସିୟାଲ ଇଂଟେଲିଜେନ୍ସ ଦୁନିଆରେ ଚିର ପରିଚିତ ୩୯ ବର୍ଷୀୟା ସୂଚନା ଏବେ ପୁଲିସ ହାଜତରେ । ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ଜାନୁଆରୀ ୮/୯ ତାରିଖ ରାତିରେ ପୁଅକୁ ହତ୍ୟା କରିବା ପରେ ସୂଚନା ଗୋଆରୁ କ୍ୟାବ କାରରେ ବସି କର୍ଣ୍ଣାଟକ ଫେରୁଥିବା ବାଟରେ ଚିତ୍ରଦୁର୍ଗ ନିକଟରେ ପୁଲିସ ହାତରେ ଧରା ପଡ଼ିଛନ୍ତି । କାରରେ ରଖା ଯାଇଥିବା ସୁଟକେଶ ଭିତରୁ ତାଙ୍କର ଚାରିବର୍ଷର ପୁଅର ମୃତଦେହ ଠାବ କରାଯାଇଥିଲା ।
ପୁଲିସ ଆଗରେ କାବ ଚାଳକ ଡିସୁଜା କହିଛନ୍ତି, ଗୋଆ ହୋଟେଲରୁ ରାତି ଗୋଟାଏରେ ମ୍ୟାଡାମଙ୍କୁ ଧରି କର୍ଣ୍ଣାଟକ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । ସୁଟକେଶ ଭାରି ଓଜନିଆ ହୋଇଥିବାରୁ ମ୍ୟାଡାମଙ୍କ ପଚାରିଲି, ଏଥିରେ କ’ଣ ମଦ ରହିଛି? ସେ ହଁ କହିଲେ ।
ଗୋଆରୁ କର୍ଣ୍ଣାଟକ ପ୍ରାୟ ୫୫୦ କିଲୋମିଟର ରାସ୍ତା ଥିବାରୁ ସାଙ୍ଗରେ ଆଉ ଜଣେ ଚାଳକକୁ ଆଣିଥିଲି । ଗୋଆ ପୁଲିସ ଡିସୁଜାକୁ ଫୋନ୍ କରି ମ୍ୟାଡାମ ଓ ସୁଟକେଶ କଥା ପଚାରିଲେ । ଗୋଆ ହୋଟେଲ ରୁମରେ ରକ୍ତଦାଗ ଦେଖି ପୁଲିସ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ।
ପୁଲିସ ପରାମର୍ଶ ମୁତାବକ ଗାଡ଼ିକୁ ଧରି ପୁଲିସ ଷ୍ଟେସନରେ ପହଂଚି ଯାଇଥିଲେ ଚାଳକ ।