ପେଟ ପାଇଁ ଜେଲ ବରଣ

ଭୁବନେଶ୍ୱର: ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଜେଲ ଏବେ ମଠ ମନ୍ଦିର ପାଲିଟିଛି । ‘ପାଠପଢ଼ି ସାରିଲା ପରେ ପେଟ ପୋଷିବା ପାଇଁ ଚାକିରିଟିଏ ଖୋଜିଲି । ସରକାରୀ ଚାକିରି ପାଇଁ ମନୋନୟନ ପରୀକ୍ଷା ଦେଇ ବିଫଳ ହେଲି । ଘରୋଇ ସଂସ୍ଥାର ମାଲିକଙ୍କ ମର୍ଜି ମୁତାବକ କାମ କରି ପାରିଲିନି । ଦିନରାତି ବାପାଙ୍କ ନିକଟରୁ ଗାଳି ଶୁଣିଲି । ଚୋରି ଡକାୟତି ରାହାଜାନି ପାଇଁ ବୈଷୟିକ ତାଲିମ ପାଇନି । କ’ଣ କରିବି?
ବିଏ ପାସ କରିବା ପରେ ପ୍ରାୟ ୫ ବର୍ଷ ଯାଏ ବହୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଲି । ଦିଗଭ୍ରଷ୍ଟ ବାଟୋଇ ଭଳି ମନୋନୟନ ପରୀକ୍ଷା ଫିସ ପାଇଁ ବାପାଙ୍କୁ ଟଙ୍କା ମାଗିବା ଛଡ଼ା ମୋ ପାଖରେ ଅନ୍ୟ ବାଟ ନଥିଲା । ସରକାରୀ ଅଫିସରେ ପିଅନ ଚାକିରି କରୁଥିବା ବାପାଙ୍କ ଶୁଖିଲା ମୁହଁକୁ ଦେଖି ସହି ପାରିଲିନି ।

ମୋ ପରି ବେରୋଜଗାର ପୁଅ ଆଉ କ’ଣ କରି ପାରିଥାନ୍ତା । ସରକାରୀ ବିଦ୍ୟାଳୟର ପାଠ ପଢ଼ିବାର କୁପରିଣାମ ଭୋଗିବା ପାଇଁ ଜେଲକୁ ପଳାଇବା ଉଚିତ ମଣିଲି ।
ବହୁତ ବୁଝିବିଚାରି ରାସ୍ତା ମଝିରେ ନାବାଳିକା ଝିଅ ମୁଣ୍ଡରେ ସିନ୍ଦୁର ଲଗାଇଦେଲି । ଝିଅଟି ଚିକ୍ରାର କଲା । ଆଖପାଖରୁ ଲୋକମାନେ ମୋତେ ମାଡ଼ିବସିଲେ । ଭଲକରି ମାଡ଼ ଦେଇ ପୁଲିସ ହାତକୁ ଟେକିଦେଲେ । ଜେଲକୁ ପଳାଇ ଆସିଲି ।
ବାପାଙ୍କ ମୁଣ୍ଡ ତଳକୁ ହୋଇଗଲା । ବାପା ମୋତେ ଜେଲରୁ ବାହାର କରିବା ପାଇଁ ଚାହୁଁଥିଲେ, କିନ୍ତୁ ମୁଁ ମନାକଲି । ସଫା ସଫା କହିଦେଲି, ବାହାରକୁ ବାହାର କଲେ ମୁଁ ପୁଣି ଆଉ ଗୋଟିଏ ଝିଅ ମୁଣ୍ଡରେ ସିନ୍ଦୁର ପିନ୍ଧାଇଦେବି । ମୋତେ ମୋ ବାଟରେ ରହିବାକୁ ଦିଅ । ତମେ ତମ କାମରେ ମନ ଦିଅ ।

ସରକାର ଚାକିରି ପାଇପାରୁ ନଥିବା ବେରୋଜଗାର ଶିକ୍ଷିତଙ୍କ ପାଇଁ ଜେଲ ସବୁଠାରୁ ଭଲ ଆଶ୍ରୟ କେନ୍ଦ୍ର । ଘରୋଇ ସଂସ୍ଥାରେ ଝିଅମାନଙ୍କୁ ଆରାମରେ ଚାକିରିଟିଏ ମିଳିଯାଉଛି । ଆମ ଭଳି ଯୁବକମାନଙ୍କୁ କେବଳ ମାର୍କେଟିଂ ଲାଇନରେ ନିଯୁକ୍ତ କରାଯାଉଛି । ମାସକ ଭିତରେ ଟାର୍ଗେଟ୍‌ ଦେଖାଇ ନପାରିଲେ, ଚାକିରିରୁ ଛଟେଇ କରି ଦିଆଯାଉଛି । ସରକାରୀ ବିଭାଗରେ ଟାର୍ଗେଟ୍‌ ପୂରଣ ନହେଲେ, କର୍ମଚାରୀଙ୍କୁ ଛଟେଇ କରାଯାଉନି । କିନ୍ତୁ ଘରୋଇ ସଂସ୍ଥାରେ ମାଲିକଙ୍କ ଇଛାରେ ନିଯୁକ୍ତି ଓ ଛଟେଇ ବ୍ୟବସ୍ଥା ଚାଲିଛି । ସରକାରଙ୍କ ଶ୍ରମ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ ଚାଲିଛି ।’ ଆମେ ଲେଖିଥିବା କଥାଟି ଚୌଦ୍ୱାର ଜେଲରେ ରହୁଥିବା ଜଣେ ବିଚାରାଧୀନ କଏଦୀଙ୍କ ମୁକୁଳା ଜୀବନ ସଂପର୍କରେ ।
ରାଜ୍ୟର ଅଧିକାଂଶ ଜେଲ ଅନ୍ତେବାସୀଙ୍କ ମନକଥା ପ୍ରାୟ ଏହିଭଳି । ବେଶ କିଛିବର୍ଷ ଧରି ଜେଲଗୁଡ଼ିକରେ ଶିକ୍ଷିତ ବେରୋଜଗାରଙ୍କ ସଂଖ୍ୟା ବଢ଼ିଚାଲିଛି । ଓଡ଼ିଶା ଭଳି ଗରିବ ରାଜ୍ୟରେ ପ୍ରତି ପାଠୁଆଙ୍କର ଲକ୍ଷ୍ୟ ଥାଏ ସରକାରଙ୍କ ଅଧିନରେ ଚାକିରିଟିଏ କରିବାକୁ । ମାତ୍ର ତାହା ସହଜରେ ମିଳିବା ମୁସ୍କିଲ । ରାଜ୍ୟରେ ଶିକ୍ଷିତ ବେରୋଜଗାର ଯୁବକ ଯୁବତୀଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲାଣି ।

ସମସ୍ତଙ୍କ ହାତକୁ କାମ ଯୋଗାଇବା ଭଳି ଯୋଜନା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ନାହିଁ । ସୂଚନା ମୁତାବକ ରାଜ୍ୟର ସବୁ ଜେଲରେ ପ୍ରାୟ ୫ ହଜାର ଶିକ୍ଷିତ ପାଠୁଆ କଏଦୀ ରହିଛନ୍ତି । ସେହିଭଳି ଶିକ୍ଷିତ ବିଚାରାଧୀନ କଏଦୀଙ୍କ ସଂଖ୍ୟା ପ୍ରାୟ ୧୨ ହଜାର । ରାଜ୍ୟର ପ୍ରାକୃତିକ ସମ୍ବଳ ଭିତରୁ ମାନବ ସମ୍ବଳ ଗୋଟିଏ । ରାଜ୍ୟ ସରକାରକୁ ପରିଚାଳନା କରୁଥିବା କୌଣସି ପ୍ରଶାସନିକ ଟିମ୍‌ ଅବା ରାଜନୈତିକ ଦଳ ନିକଟରେ ମାନବ ସମ୍ବଳକୁ ସଠିକ ଭାବରେ ପରିଚାଳନା କରିବା ପାଇଁ ସୁଚିନ୍ତିତ ଯୋଜନା ନାହିଁ । ତା’ର ପରିଣାମ ସ୍ୱରୂପ ରାଜ୍ୟର ସବୁ ଜେଲରେ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
ସଂକ୍ଷେପରେ କହିଲେ, ଅପରାଧିଙ୍କ ଆଶ୍ରୟସ୍ଥଳ ବିଧାନସଭା ହେଲେ, ନିରପରାଧିଙ୍କ ଆଶ୍ରୟସ୍ଥଳ ଜେଲ ନହେବ କାହିଁକି?