ପୁଅକୁ ବଂଚାଇବାକୁ ଯାଇ ଜୀବନ ଦେଲେ ବାପା

କଟକ: ପୁଅ ଆଗରେ ବାପା ଉପରେ ଟ୍ରାକ୍ଟର ଚଢ଼ାଇ ଦିଆଯାଇଛି । କଟକ ଜିଲ୍ଲାର ଖୁଂଟୁଣୀ ଥାନା ଅଂଚଳରେ ଗୋଷ୍ଠୀ ସଂଘର୍ଷ କ୍ରମେ ଉଗ୍ର ରୂପ ଧାରଣ କରିଛି । ପ୍ରାପ୍ତ ସୂଚନାରୁ ଜଣାଯାଇଛି, ରାଧାକୃଷ୍ଣପୁର ଗ୍ରାମରେ ରହୁଥିବା ଗୋଟିଏ ପରିବାର ପକ୍ଷରୁ ମୁଦି ପିନ୍ଧା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ତଳଗଡ଼ିଆ ସ୍ୱପ୍ନେଶ୍ୱର ପୀଠରେ । ଗ୍ରାମବାସୀଙ୍କ ସହିତ ମିଶି ରଂଜନ ରଣା ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଭୋଜିଭାତ ଖାଇ ଗ୍ରାମକୁ ଫେରୁଥିଲେ । ବାଟରେ ତାଙ୍କ ସହିତ କିଛି ବିଶୃଙ୍ଖଳିତ ଯୁବକଙ୍କର ଉଚ୍ଚବାଚ ହୋଇଥିଲା ।

ସେ ଖବର ଶୁଣି ରଂଜନଙ୍କ ବାପା ସୁଶାନ୍ତ ରଣା ଘଟଣାସ୍ଥଳକୁ ଧାଇଁଗଲେ । ଉତ୍ୟକ୍ତ ଯୁବକମାନଙ୍କୁ ବୁଝାସୁଝା କରୁଥିଲା ବେଳେ ଜଣେ ଯୁବକ ଟ୍ରାକ୍ଟର ଚଳାଇ ଆସିଲେ ଓ ସୁଶାନ୍ତଙ୍କୁ ମଡ଼ାଇ ଦେଲେ । ଘଟଣାସ୍ଥଳରେ ସୁଶାନ୍ତଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ତାହା ଦେଖି ଅନ୍ୟ ଗ୍ରାମବାସୀ ଉତ୍ୟକ୍ତ ହୋଇ ଗୋଟିଏ ପକ୍ଷର ଘର ପୋଡ଼ି ଦେଲେ ।

ଚାହୁଁ ଚାହୁଁ ଘଟଣାଟି ପ୍ରଘଟ ହୋଇଗଲା । ଖବର ପାଇ ପୁଲିସ ବାହିନୀକୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଂଚିଛନ୍ତି ଅତିରିକ୍ତ ପୁଲିସ ଅଧୀକ୍ଷକ । ଗ୍ରାମରେ ଚାପା ଉତେଜନା ରହିଛି ।