ଭୁବନେଶ୍ୱର: ନିର୍ବାଚନ ଋତୁରେ ଦଳଡିଅାଁ ଆଖଡ଼ା ମାମୁଲି । ନିଜକୁ ନେତା ବୋଲାଉଥିବା ବ୍ୟକ୍ତିମାନେ ଗୋଟିଏ ଦଳରୁ ଇସ୍ତଫା ଦେଇ ଆଉ ଗୋଟିଏ ଦଳକୁ ଆଦରିବା ପଛରେ ବାସ୍ତବ ସତ ଯାହା ଥାଉନା କାହିଁକି; ଗଣମାଧ୍ୟମ ଆଗରେ ପୁରୁଣା ଦଳର ଦୋଷତ୍ରୁଟି ବାଛିବା ଓ ନୂଆ ଦଳକୁ ମୁଣ୍ଡରେ ବସାଇବା ଏକ ଗତାନୁଗତିକ ଧାରା ।
ଏହି କ୍ରମରେ ଯାଜପୁର ବିଜେଡି ରାଜନୀତିକୁ ଅଲବିଦା କରି ବିଜେପିକୁ ଆଦରି ନେଇଛନ୍ତି ଦେବାଶିଷ ନାୟକ । ବିଜେଡିକୁ ଅଲବିଦା କରିବା ପରେ ବାବୁଙ୍କ ପାଟିରୁ ଖାଲି ବିଜେଡି ବିରୋଧୀ କଥାଗୁଡ଼ାକ ବାହାରୁଛି । ଦେବାଶିଷଙ୍କୁ ଟାଣୁଆ ରାଜନେତାର ପରିଚୟ ଦେଇଛି ବିଜେଡି । ବିଜେଡିକୁ ଛାଡ଼ପତ୍ର ଦେଇ ଦେବାଶିଷ ଆପଣା ପରିଚୟ ବଜାୟ ରଖିପାରୁଛନ୍ତି କି ନାହିଁ; ତାହା ଆଗାମୀ ଦିନରେ ଜଣାପଡ଼ିବ ।
ବିଜେପି ପାଇଁ ଦେବାଶିଷ ବରଦାନ କି ଅଭିଶାପ; ନିର୍ବାଚନ ପରେ ତାହା ଜଣାପଡ଼ିଯିବ । ଏମିତି ଏକ ଗରମ ହାୱାର ଶିକାର ହୋଇ ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ି ବିଜେପିର ଆଗଧାଡ଼ିର ନେତା ହୋଇଛନ୍ତି । ବାହାର ରାଜ୍ୟରେ ତାଙ୍କ ରଣନୀତି କାମ କରିଛି କହି ବିଜେପି ଆତ୍ମସନ୍ତୋଷ ଲାଭ କରୁଛି । ମାତ୍ର କେନ୍ଦ୍ରାପଡ଼ା ମାଟିରେ ବୈଜୟନ୍ତଙ୍କ ବିଜୟ କେତନ ଉଡ଼ିଗଲା । ଚଳିତ ନିର୍ବାଚନରେ ବାବୁ ତାଙ୍କର ବିଜୟକେତନକୁ କୋଉଠି ପୋତୁଛନ୍ତି; ରାଜ୍ୟବାସୀ ଜାଣିପାରିବେ । ଏବେ ବିଜେପି କାନ୍ଧରେ ବସି ଦେବାଶିଷ କୋଉ ପର୍ଯ୍ୟନ୍ତ ଯାଉଛନ୍ତି ଦେଖିବା ।