ମହିଳା ମାଓବାଦୀଙ୍କୁ ଧରିଲା ମହାରାଷ୍ଟ୍ର ପୁଲିସ

ନୂଆଦିଲ୍ଲୀ: ୬ ଲକ୍ଷ ଟଙ୍କାର ପୁରସ୍କାର ରାଶିକୁ ମୁଣ୍ଡରେ ଧରି ବୁଲୁଥିବା ଜଣେ ମହିଳା ମାଓବାଦୀଙ୍କୁ ଧରିବାକୁ ସକ୍ଷମ ହୋଇଛି ଗଡ଼ଚିରୋଲି ପୁଲିସ । ଗିରଫ ମହିଳା ମାଓବାଦୀଙ୍କ ନାମ କମଲା ପଦଗା ଗୁଟା ଓରଫ ରାଜେଶ୍ୱରୀ । ୨୦୦୬ରେ ମାତ୍ର ୧୩ ବର୍ଷ ବୟସରୁ ସେ ମାଓବାଦୀ ସଂଗଠନରେ ଯୋଗଦାନ କରିଥିଲେ ।

ଛତିଶଗଡ଼ର ବିଜାପୁର ନିବାସୀ ରାଜେଶ୍ୱରୀ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ରହି ଏକାଧିକ ସାଂଘାତିକ ଅପରାଧରେ ଅଭିଯୁକ୍ତ ହୋଇଛନ୍ତି । କିଶୋରୀ ସମୟର କୋମଳ ନାବାଳିକା ସମୟରୁ ସେ ଚେତନା ନାଟ୍ୟ ମଂଚ ଜରିଆରେ ମାଓ ସଂଗଠନ ସହିତ ଯୋଡ଼ି ହୋଇଯାଇଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

୨୦୧୬ରେ ରାଜେଶ୍ୱରୀଙ୍କୁ ଫରେସଗଡ଼ ଇଲାକାକୁ ପଠାଇ ଦିଆଗଲା । ୨୦୧୯ରୁ ସେ ବିଜାପୁର ଅଂଚଳରେ ସକ୍ରିୟ ଥିଲେ । ପୁଲିସ ସହିତ ଚାରୋଟି ଏନକାଉଂଟରରେ ଜଡ଼ିତ ହେବା ପରେ ମହାରାଷ୍ଟ୍ର ସରକାର ତାଙ୍କୁ ଧରାଇଦେଲେ ୬ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲେ ।

ଗତ ୧୩ ମାସ ଭିତରେ ୭୪ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।