ହୃଦୟ ବିଦାରକ ସଡ଼କ ଦୁର୍ଘଟଣା: ଚାହୁଁ ଚାହୁଁ ଚାଲିଗଲା ୧୪ ଜୀବନ

ଏଭଳି ଦୁର୍ଘଟଣା ହୁଏତ ଦେଖିବାର ସୁଯୋଗ ପାଇ ନଥିବେ । ଦ୍ରୁତଗତିରେ ଗାଡ଼ିଚାଳନା ସବୁବେଳେ ମହାବିପଦ । ଘାଟି ଭିତର ଦେଇ ତୀବ୍ର ବେଗରେ ପିକ୍‌ ଅପ୍‌ ଚଳାଉ ଚଳାଉ ଗୋଟିଏ ମୋଡ଼ରେ ଚାଳକଙ୍କ ମୁଣ୍ଡ କାମ କରି ନଥିଲା । କ’ଣ କରିବେ ଭାବିଲା ବେଳକୁ ଷ୍ଟିୟରିଂ ବୁଲି ଯାଇଥିଲା ଗୋଟିଏ ଆଡକୁ ।

ଗାଡ଼ି ବାହାରେ ଠିଆ ହୋଇଥିବା ଲୋକମାନେ ହାଁ ହାଁ କହୁ କହୁ ଗାଡ଼ିଟି ଓଲଟି ପଡ଼ିଥିଲା । ବୁଧବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଶାହପୁରା ଥାନା ଇଲାକାରେ ଘଟିଥିବା ଛାତିଥରା ଦୁର୍ଘଟଣାରେ ୧୪ ଜଣଙ୍କର ଜୀବନ ଚାଲିଯାଇଛି ।  ଡାକ୍ତରଖାନାରେ ଗୁରୁତର ଆହତଙ୍କର ଚିକିତ୍ସା ଚାଲିଛି । ସୂଚନା ମୁତାବକ ଗୋଟିଏ ପିକ୍‌ ଅପ୍‌ କିଛି ଲୋକଙ୍କୁ ନେଇ କୌଣସି ଏକ କାର୍ଯ୍ୟକ୍ରମକୁ ଯାଇଥିଲା । ସେଠାରୁ ଫେରିଲା ବେଳେ ଦୁର୍ଘଟଣାର ଶିକାର ହେଲା ।

ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା ।ଗାଡ଼ିତଳେ ଚାପି ହୋଇ ଅନେକ ଲୋକ ପ୍ରାଣ ହରାଇଥିଲେ । ଏପରିକି କିଛି ଲୋକ ଚାପି ହୋଇ ଉଦ୍ଧାର ପାଇଁ ଡାକ ପକାଇଥିଲେ; ମାତ୍ର ସେମାନଙ୍କୁ ଉଦ୍ଧାର କଲାବେଳକୁ ଜୀବନ ନଥିଲା ।

ଖବରଟି ଶୁଣିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତକଙ୍କ ପିଛା ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଛନ୍ତି ।