କନିଷ୍ଠ ଯନ୍ତ୍ରୀଙ୍କର ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର ଜଳସଂପଦ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ମୃତଦେହକୁ ତାଙ୍କ ସରକାରୀ କ୍ୱାର୍ଟରରୁ ଉଦ୍ଧାର କରାଯାଇଛି । ଶୁଣିବାକୁ ମିଳୁଛି, ବୁଧବାର ଅଫିସରେ ଭୋଜି ଖାଇ କ୍ୱାର୍ଟରକୁ ଯାଇଥିଲେ । ସେଠାରୁ ଅଫିସକୁ ନଫେରିବାରୁ ସହକର୍ମୀଙ୍କ ମନରେ ଆଶଙ୍କା ଜାତ ହୋଇଥିଲା ।

ସେମାନେ ପ୍ରଦୀପଙ୍କ ଘରକୁ ଯାଇ କବାଟ ନକ୍‌ କରିଥିଲେ । ବେଶ କିଛି ସମୟ ଧରି ନକ୍‌ କରିବା ପରେ ମଧ୍ୟ କବାଟ ନଖୋଲିବାରୁ ସହକର୍ମୀମାନେ କ୍ୱାର୍ଟର ପଛପଟେ ଥିବା କବାଟକୁ ଭାଙ୍ଗି ଭିତରକୁ ପଶିଥିଲେ । ରୁମ୍‌ ଭିତରେ ପ୍ରଦୀପ ଆତ୍ମହତ୍ୟା କରିଥିବା ବିଷୟ କୁହାଯାଉଛି ।

ତେବେ ପୁଲିସ ନ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ସହକର୍ମୀମାନେ କାହିଁକି କବାଟ ଭାଙ୍ଗିଥିଲେ; ତାହା ଏବେ ଅନେକଙ୍କ ମନକୁ ଘାରିଛି । ଖବର ଲେଖା ହେବା ସୁଦ୍ଧା ପ୍ରଦୀପଙ୍କ ଘରଲୋକେ ଘଟଣାସ୍ଥଳରେ ପହଂଚି ନଥିଲେ । ପୁଲିସ ଘର ଭିତରେ ମୃତଦେହକୁ ଜଗି ରହିଛି ।