‘କେବିସି’ର ଦ୍ୱିତୀୟ କୋଟିପତି ବିଜେତା ଆଇପିଏସ୍ ମୋହିତା ଶର୍ମା

ମୁମ୍ବାଇ: ବିଗବି ଅମିତାଭ ବଚ୍ଚନଙ୍କ ଶୋ “କୌନ ବାନେଗା କରୋଡ଼ପତି ” କୁ ମିଳିଛି ଦ୍ୱିତୀୟ କୋଟିପତି ବିଜେତା । 2020’ର ପ୍ରଥମ କୋଟିପତି ବିଜେତା ଚଳିତ ମାସର ପ୍ରଥମ ସପ୍ତାହରେ ମିଳିସାରିଥିବା ବେଳେ ବର୍ତ୍ତମାନ ଶୋ’କୁ ଦ୍ୱିତୀୟ କୋଟିପତି ବିଜେତା ବି ମିଳିଯାଇଛି। ଗତକାଲିର ଏପିସୋଡ୍‌ରେ ଆଇପିଏସ୍ ଅଧିକାରୀ ମୋହିତା ଶର୍ମା ‘କେବିସି’ର ଦ୍ୱିତୀୟ କୋଟିପତି ବିଜେତା ହୋଇଛନ୍ତି।

ମୋହିତାଙ୍କୁ ପଚରାଯାଇଥିବା ୧କୋଟିର ପ୍ରଶ୍ନ ରେ ଥିଲା କେଉଁଟି ପ୍ରଥମେ ୧୮୯୮ ମସିହାରେ ଜର୍ମାନ ରସାୟନ ବିଜ୍ଞାନୀ ଜର୍ଜ ଫେଡ୍ରିକ୍ ହେନିଙ୍ଗଙ୍କ ଦ୍ୱାରା ଆବିଷ୍କାର ହୋଇଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଏହା ପ୍ରଥମେ ବ୍ୟବହୃତ ହୋଇଥିଲା। ଆଉ ଅପଶନ୍‌ଗୁଡ଼ିକ ଥିଲା A) HMX B) RDX C) TNT D) PETN । ତେବେ ଏହାର ସଠିକ୍ ଉତ୍ତର ଥିଲା RDX। ମୋହିତା ଏକ୍ସପର୍ଟ ଲାଇଫ୍ ଲାଇନ୍ ସାହାଯ୍ୟରେ ସଠିକ୍ ଉତ୍ତର ଦେଇଥିଲେ ଏବଂ ୧କୋଟି ଟଙ୍କା ଜିତି ସେ ୨୦୨୦ର ଦ୍ୱିତୀୟ କୋଟିପତି ହୋଇଥିଲେ।

ଏଠାରେ ପ୍ରକାଶଥାଉକି, ମୋହିତା ହେଉଛନ୍ତି ୨୦୧୭ ବ୍ୟାଚ୍‌ର ଜଣେ ଆଇପିଏସ୍ ଅଧିକାରୀ, ଯିଏ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ସେ ଭାରତୀୟ ବନ ସେବା ଅଧିକାରୀ ଋଶଲ ଗର୍ଗଙ୍କୁ ବିବାହ କରିଥିଲେ। ମୋହିତା ହିମାଚଳ ପ୍ରଦେଶର କଙ୍ଗରା ବାସିନ୍ଦା ହୋଇଥିବା ବେଳେ ପରିବାର ସହ ଦିଲ୍ଲୀ ରେ ରୁହନ୍ତି । ତାଙ୍କ ପିତା ମାରୁତି କମ୍ପାନୀରେ କାମ କରୁଥିଲେ ଏବଂ ମା ଜଣେ ଗୃହିଣୀ। ମୋହିତାଙ୍କ ଶାଶୁଘର ଚଣ୍ଡିଗଡ଼ରେ। ଏହି ଶୋ’ରେ ସେ ସ୍ୱାମୀ ରାହୁଲ ଗର୍ଗଙ୍କୁ ସବୁକିଛିର ଶ୍ରେୟ ଦେଇଥିଲେ। ସେ କହିଥିଲେ ଯେ ତାଙ୍କ ସ୍ୱାମୀ ଗତ ୨୦ ବର୍ଷ ଧରି କେବିସି ଆସିବାକୁ ଚେଷ୍ଟା କରୁଛନ୍ତି। ରାହୁଲ ମଧ୍ୟ କହିଥିଲେ ଯେ ସେ ‘କୌନ ବାନେଗା କରୋଡ଼ପତି ଜୁନିଅରରେ ପ୍ରଥମ ଥର ପାଇଁ ଚେଷ୍ଟା କରିଥିଲେ। ସେତେବେଳେ ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ।ହେଲେ ଏହି ସୋକୁ ଆସି ସେ ତାଙ୍କ ସ୍ୱାମୀଙ୍କର ସ୍ବପ୍ନ ପୁତ୍ର ଆକରିଥିବା ଯୋଗୁ ସମସ୍ତ ଶ୍ରେୟ ତାଙ୍କୁ ଦେଇଛନ୍ତି ।

ସୂଚନାଯୋଗ୍ୟ, ମୋହିତାଙ୍କ ପୂର୍ବରୁ ଦିଲ୍ଲୀରୁ ଆସିଥିବା ମ୍ୟାନେଜର ନାଜିଆ ନାଜ ଏକ କୋଟି ଟଙ୍କା ଜିତିଥିଲେ। ତେବେ ୭ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଜାଣି ନପାରିବାରୁ ସେ ଖେଳ ଅଧାରୁ ଛାଡ଼ିଥିଲେ।। ମୋହିତା ମଧ୍ୟ ୭ କୋଟି ପ୍ରଶ୍ନର ଉତ୍ତର ଜାଣି ନପାରିବାରରୁ ଗେମ୍‌ ଛାଡ଼ି ଦେଇଥିଲେ।