ପୁଣି ଦଳର ନେତୃତ୍ୱକୁ ଟାର୍ଗେଟ କଲେ ପି ଚିଦାମ୍ବରମ-

ନୂଆଦିଲ୍ଲୀ : ବିହାର ପରାଜୟ ପରେ ଧୀରେ ଧୀରେ କଂଗ୍ରେସର କଳି ବଢିବାରେ ଲାଗିଛି । ଦଳର ବରିଷ୍ଠ ନେତା ପି ଚିଦାମ୍ବରମ ଦଳର ନେତୃତ୍ୱକୁ ପୁଣି ଟାର୍ଗେଟ କରିଛନ୍ତି । ପି .ଚିଦାମ୍ବରମ କହିଛନ୍ତି, ନିକଟରେ ସରିଥିବା ନିର୍ବାଚନ ଫଳାଫଳରୁ ଦଳର ଭିତିଭୂମି ଓ ତୃଣମୂଳସ୍ତରର ସଙ୍ଗଠନ ଦୁର୍ବଳ ହୋଇପଡିଥିବା ସ୍ପଷ୍ଟ ଜଣାପଡୁଛି । ବିହାରରେ ମେଂଟ କଣ ପାଇଁ ହାରିଲା ସେ ନେଇ ସମୀକ୍ଷା ହେବା ଦରକାର ବୋଲି ସେ କହିଛନ୍ତି ।

କିଛି ବର୍ଷ ତଳେ ଦଳ ଭଲ ପ୍ରଦର୍ଶନ କରିଥିଲେ ବି ଏବେ କାହିଁକି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି , ସେ ନେଇ ତର୍ଜମା କରାଯିବା ଦରକାର ବୋଲି କହିଛନ୍ତି ପି.ଚିଦାମ୍ବରମ । ଏଭଳି କହି ସେ କପିଲ ଶିବଲଙ୍କୁ ସମର୍ଥନ କରୁଥିବା ଆଲୋଚନା ହେଉଛି । ବିହାର ପରାଜୟ ପରେ କପିଲ ଶିବଲ ପରୋକ୍ଷରେ ସେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଥିଲେ ।

ସେପଟେ ଯେଉଁମାନେ ଦଳୀୟ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇଛନ୍ତି ସେମାନଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି , ଯେଉଁମାନେ ଏଭଳି କରୁଛନ୍ତି ସେମାନେ ଦଳ ଛାଡି ଚାଲିଯାଆନ୍ତୁ କିମ୍ବା ନିଜସ୍ୱ ଦଳ ଗଢନ୍ତୁ ।