ଗୁରୁବାରଠାରୁ ଆସି ରବିବାର ହେଲାଣି, ହେଲେ କିଛି ବ୍ୟବସ୍ଥିତ ହୋଇପାରୁନି । ବାଦଲଫଟା ବର୍ଷାରେ ହିମାଚଳ ପ୍ରଦେଶ ରାମପୁର ଜିଲ୍ଲାର ସାମେଜ୍ ଗାଁ ପୂରା ଧୋଇ ଯାଇଥିବା ବେଳେ ୫୩ ଜଣ ଏବେ ବି ନିଖୋଜ ଅଛନ୍ତି । ରାସ୍ତା ଘାଟ ଧୋଇ ଯାଇଥିବା ବେଳେ ସେନା ଓ ସିଆଇଏସଏଫ ଯବାନମାନେ ସେଗୁଡ଼ିକ ଅସ୍ଥାୟୀ ନିର୍ମାଣ କରି ଉଦ୍ଧାର କାମ ଜାରି ରଖିଛନ୍ତି ।
ହିମାଚଳ ପ୍ରଦେଶ ରାମପୁର ଜିଲ୍ଲର ସାମେଜ୍ ଗାଁ ଆଉ ଗାଁ ହୋଇନାହିଁ । ସବୁକିଛି ମାଟିରେ ମିଶିଯାଇଛି । ସବୁକିଛି ଧୋଇଯାଇଛି । ବାଦଲଫଟା ବର୍ଷାରେ ପୂରା ଗାଁ ଧୋଇ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତଦେହ ମିଳିଛି । ଏବେ ବି ୫୩ ଜଣ ଲୋକ ନିଖୋଜ ଅଛନ୍ତି। ରାତି ଅଧରେ ହେଲା ଭୟଙ୍କର ଶବ୍ଦ । ଭୁସୁ ଭୁସୁ ହୋଇ ପାହାଡ଼ ଶିଖରରୁ ମାଡ଼ି ଆସିଲା ପାଣି, ମାଟି ଓ ପଥର । ଆଉ କେହି କିଛି ବୁଝିବା ଆଗରୁ ସବୁକିଛି ଶେଷ ହୋଇଗଲା । କୁଲୁ, ମଣ୍ଡି ଓ ଶିମ୍ଲାରେ ମଧ୍ୟ ଅନୁରୂପ କ୍ଷତି ଘଟାଇଛି ବାଦଲଫଟା ବର୍ଷା । ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରିଲିଫ ବ୍ୟବସ୍ଥା କରାଯାଇଛି ।
ସବୁକିଛି ସରିଯାଇଛି । ସବୁକିଛି ଚାଲିଯାଇଛି । ହେଲେ ସେନା ଓ ସିଆଇଏସଏଫ କିନ୍ତୁ ହିମାଚଳ ପ୍ରଦେଶର ସାମେଜ ଗାଁରେ ପଡ଼ି ରହିଛି । ଲୋକଙ୍କ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛନ୍ତି ଯବାନ । ଗତବର୍ଷ ବାଦଲଫଟା ବର୍ଷାରେ ହିମାଚଳ ପ୍ରଦେଶରେ ନାହିଁ ନଥିବା କ୍ଷତି ହୋଇଥିଲା । ପୁଣି ଏବର୍ଷ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଗତବର୍ଷର କ୍ଷତିପୂରଣ ଟଙ୍କା ଏଯାଏଁ ହିମାଚଳ ପ୍ରଦେଶ ସରକାରଙ୍କ ହାତକୁ ଆସିନି ।