ରାଷ୍ଟ୍ରପତି ବାଇଡେନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ଆର ବାଇଡେନଙ୍କ ଠାରୁ ଏକ ଟେଲିଫୋନ୍ କଲ୍ ଆସିଛି । ଗଣତନ୍ତ୍ର, ଆଇନର ଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କର ମିଳିତ ମୂଲ୍ୟବୋଧ ଉପରେ ଆଧାରିତ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ପ୍ରତି ରାଷ୍ଟ୍ରପତି ବାଇଡେନଙ୍କ ଗଭୀର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଆଲୋକପାତ କରିଥିଲେ ଯେ ଭାରତ-ଆମେରିକା ଭାଗିଦାରୀ ଉଭୟ ଦେଶର ଜନସାଧାରଣ ତଥା ସମଗ୍ର ମାନବଜାତିକୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ ।

ଅନେକ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ ଭାବ ବିନିମୟ ହୋଇଥିଲା। ୟୁକ୍ରେନର ସ୍ଥିତି ଉପରେ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ତାଙ୍କ ନିକଟରେ ୟୁକ୍ରେନ ଗସ୍ତ ବିଷୟରେ ଅବଗତ କରାଇଥିଲେ । ଆଲୋଚନା ଓ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଆଭିମୁଖ୍ୟକୁ ଦୋହରାଇବା ସହ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ଦୁଇ ନେତା ବାଂଲାଦେଶର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ସହ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। କ୍ୱାଡ୍ ସମେତ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ନେତା ସେମାନଙ୍କପ୍ରତିବଦ୍ଧତା ଦୋହରାଇଥିଲେ। ଏହାସହିତ ସେମାନେ ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ।