ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ୨୨ତମ ଭାରତ-ରୁଷ୍ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଗତ ମାସରେ ତାଙ୍କର ସଫଳ ରୁଷ୍‍ ଗସ୍ତକୁ ସ୍ମରଣ କରିଥିଲେ । ଉଭୟ ନେତା ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଓ ବିଶେଷାଧିକାର ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।

ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ । ଉଭୟ ନେତା ଚାଲିଥିବା ରୁଷିଆ-ୟୁକ୍ରେନ ବିବାଦ ଉପରେ ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ନିକଟରେ ୟୁକ୍ରେନ ଗସ୍ତ ସମ୍ପର୍କରେ ସୂଚନା ସେୟାର କରିଥିଲେ ।

ବିବାଦର ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହାସଲ କରିବା ପାଇଁ ଆଲୋଚନା ଏବଂ କୂଟନୀତିର ଗୁରୁତ୍ୱ ସହିତ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ଆନ୍ତରିକ ଏବଂ ବ୍ୟବହାରିକ ଯୋଗଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦୁଇ ନେତା ନିରନ୍ତର ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।