କୁମାର ପୁର୍ଣିମା ପୂର୍ବ ର ଅନନ୍ୟ ପରମ୍ପରା ,କଇଁ କୋଠୀରେ ଚନ୍ଦ୍ରପୂଜା

କବିସୂର୍ଯ୍ୟନଗର: ଗାଁ ଠୁ ସହର ସବୁଠି ପାଳିତ ହେଉଛି କୁମାରୀ ମାନଙ୍କ କୁମରୋତ୍ସବ I କୁମାରୀମାନେ ଭଲ ବରପାତ୍ର ଟିଏ ନିଜ ଜୀବନସାଥୀ ରୂପେ ପାଇବାପାଇଁ ବୃନ୍ଦାବତୀ ମୂଳେ ମୁଢି ନଡ଼ିଆ ଭୋଗ କରି ଚାନ୍ଦ ବନ୍ଦାପନା କରିଥାନ୍ତି I କିନ୍ତୁ ପ୍ରତିବର୍ଷ ଏହି କୁମରୋତ୍ସବ କୁ ନିଆରା ଢଙ୍ଗରେ ପାଳିଥାନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ବିଭିନ୍ନ ଗାଁ ର ଯୁବତୀମାନେ I କୁମାର ପୁର୍ଣିମା ର ପୂର୍ବ ସନ୍ଧ୍ୟା ରେ ଗାଁ ଦାଣ୍ଡରେ କଇଁଫୁଲ କୋଠୀର ଚିତ୍ର ସାଙ୍ଗକୁ ପାଳଭୂତ ନାଚ ଏହି ଉତ୍ସବ ପାଇଁ ସୃଷ୍ଟି କରିଥାଏ ଭିନ୍ନ ଏକ ପରିବେଶ I ଦର୍ଶକ ଙ୍କ ଭିଡରେ ଗାଁ ଦାଣ୍ଡ ଉଛୁଳି ଉଠେ I ଏହାକୁ ଉପଭୋଗ କରିବାକୁ ଆବାଳ, ବୃଦ୍ଧ, ବନିତା ସବୁ ଯେମିତି ଏକାକାର ହୋଇଯାନ୍ତି I

ଗାଁ ରାସ୍ତାରେ ଭଳିକି ଭଳି ଚିତ୍ରପଟ ଦେଖିବlକୁ ମିଳେ ଯେପରି ନାଗ ବନ୍ଧନ, ରାଧାକୃଷ୍ଣ, ମୟୁର ଏମିତି ଅନେକ I ଗାଁର ଝିଅ ବୋହୁ ମାନେ ଏହିସବୁ ଚିତ୍ର ପଟ କୁ ଅଙ୍କିଥାଆନ୍ତି I କଇଁ ଫୁଲ ପାଖୁଡା ରେ ଏହି ସବୁ ଚିତ୍ରପଟ୍ଟ ଅଙ୍କଯାଇଥାଏ I ଏହାକୁ ସୁନ୍ଦର କରିବାକୁ କିଛି ଅବିର ବ୍ୟବହାର କରାଯାଏ I ଗାଁ ର ଝିଅ ବୋହୁ ମାନେ ନିଜ ନିଜ ଘରଆଗରେ ବୃନ୍ଦାବତୀ ନିକଟରେ ତିଆରି କରିଥାନ୍ତି ଏହିଭଳି ଚିତ୍ର I ଏହାକୁ କୋଠି କୁହାଯାଏ I କୋଠି ଓଷା ପୂର୍ବ ଛଅ ଦିନରୁ ଆରମ୍ଭ ହୋଇ ପୁର୍ଣିମା ପୂର୍ବ ଦିନ ସମାପ୍ତ ହୁଏ I ଶେଷ ଦିନରେ ହେଉଥିବା କୋଠିକୁ ବଡ଼କୋଠି କୁହାଯାଏ I

ଏହି କଇଁକୋଠି ନିକଟରେ କୁମାରୀମାନେ ଦୀପଜାଳି ବନ୍ଦାପନା କରି ଚନ୍ଦ୍ରକୁ ଉପାସନା କରିବା ସହ କାର୍ତ୍ତିକଙ୍କ ପାରି ସୁନ୍ଦର ବରପାଇବାକୁ ପୂର୍ଜା କରିଥାଆନ୍ତି। ଗାଁର ଯୁବକମାନେ ଧନକୁଟା ରେ ସଜିତ ହୋଇ ଗାଁ ଦIଣ୍ଡରେ ବୁଲି କୁମାରୀ ମାନଙ୍କ ଦ୍ୱାରା କରାଯାଇଥିବା କଇଁକୋଠି ନଷ୍ଟ କରିବା ସହ ନାଚ କୁଦ ମନୋରଞ୍ଜନ କରିଥାନ୍ତି I ଏହାକୁ ଦେଖିବାକୁ ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥାଏ।କୁମାର ପୁର୍ଣିମା ଅବସରରେ କଇଁଫୁଲ କୋଠି ପାଇଁ ଖ୍ୟାତି ଅର୍ଜନ କରିଥିବା କବିସୂର୍ଯ୍ୟନଗର ଓ ଆଖପାଖ ଗାଁ ର ଏହି ଉତ୍ସବ ଆମ ପରମ୍ପରା ଓ ଐତିହ୍ୟ କୁ ମନେ ପକାଇଦିଏ ।