ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ପୁସ୍ତକ ଉନ୍ମୋଚନ

ଭକ୍ତକବି ମଧୁସୂଦନ ରାଓଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚନ କରିଥିଲେ ମୋହନ ମାଝୀ । ୧୮୫୩ ମସିହାର ପବିତ୍ର ଶ୍ରୀପଞ୍ଚମୀ ଦିନ ସେ ଜନ୍ମ ଗ୍ରହଣ କରିଥିଲେ । ଏହି ଅବସରରେ ବର୍ଣ୍ଣବୋଧ ନୂତନ ଭାବରେ ପ୍ରକାଶିତ ହେବା ତାଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

ଯେତେବେଳେ ଭାରତ ସ୍ଵାଧୀନତା ଲାଭ କରିଥିଲା ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ, ଅର୍ଥାତ ୧୯୦୦ ମସିହା ବେଳକୁ ଏହା ଏକକ-ଅଙ୍କ ବିଶିଷ୍ଟ ଥିଲା । ସେତେବେଳେ ଓଡ଼ିଆ ଭାଷାର ଆଉ ଏକ ସମସ୍ଯା ଥିଲା । ଯଦିଓ ଓଡ଼ିଆ ଭାଷା ଓ ସାହିତ୍ଯକୁ ଅନେକ ସାରସ୍ଵତ ସାଧକ ଋଦ୍ଧିମନ୍ତ କରିଥିଲେ, ତାହା ସାଧାରଣ ଜନତାଙ୍କ ଭାଷା ରୂପେ ଆଦୃତ ହୋଇପାରିନଥିଲା । କାରଣ, ଲିଖିତ ଓଡ଼ିଆ ଭାଷାର ଗଠନ, ଉଚ୍ଚାରଣ, ଲିଖନ ଏବଂ ଶୁଦ୍ଧତା ନିଶ୍ଚିତ ଭାବେ ଜଟିଳ ଥିଲା ।

ତେଣୁ, ଏତେ ସଂଖ୍ୟକ ଲୋକଙ୍କୁ ଶିକ୍ଷାଦାନ କରିବା ପାଇଁ ହେଲେ ପ୍ରଥମେ ଭାଷାକୁ ସରଳ ଭାବେ, ବୋଧଗମ୍ୟ ଭାବେ ପ୍ରସ୍ତୁତ କରିବାକୁ ହେବ । ଏହା ସହିତ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ରଖିବାକୁ ପଡ଼ିବ। ତେଣୁ, ଏହାର ସମାଧାନ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’ । ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି ।