ଭୁବନେଶ୍ୱର( ଏସ୍ ନ୍ୟୁଜ ): ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଆଜି ଉଭୟ ବିଧାନସଭା ଭିତରେ ଓ ବାହାରେ ବିରୋଧୀ ବିଜେପି ଓ କଂଗ୍ରେସର ନାରାବାଜି ଦେଖିବାକୁ ମିଳିଛି । ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଗୃହ ଭିତରେ ବିରୋଧୀ ଦଳ ବିଧାୟକମାନେ ହଟ୍ଟଗୋଳ କରିଥିବା ବେଳେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ତେବେ ପରୀ ହତ୍ୟା ଘଟଣାକୁ ନେଇ ଗୃହରେ ଗତକାଲି ମନ୍ତ୍ରୀ ଅରୁଣ ସାହୁ ବିବୃତି ଦେଇଥିଲେ। ଏହାସତ୍ତ୍ୱେ ବିରୋଧୀଙ୍କ ଗର୍ଜନ ଥମିନାହିଁ । ସେମାନେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି। ଆଉ ଏହାର ପ୍ରଭାବ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପୋଷ୍ଟର ଓ ବ୍ୟାନର ଦେଖାଇବା ସହ ନାରାବାଜି କରିଥିଲେ। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଚାଲି ପାରି ନ ଥିଲା। ତେଣୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ। ପରେ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଘଟଣାର SIT ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ସେ ଏହି ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ବିଜେପି କର୍ମୀମାନେ ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ରାଲି ବାହାର କରିଥିଲେ। ସେମାନେ ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ରାଲି କରାଯାଇଛି।