ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଭେଟି: ପ୍ରଥମ ସ୍ୱାମୀ ଥିଲେ ମଧ୍ୟ ଦ୍ୱିତୀୟ ସ୍ୱାମୀଙ୍କ ନିକଟରୁ ଭରଣପୋଷଣ ପାଇପାରିବେ ପୀଡ଼ିତା
ପ୍ରଥମ ସ୍ୱାମୀଙ୍କ ନିକଟରୁ ଆଇନାନୁମୋଦିତ ଛାଡ଼ପତ୍ର ନନେଇ ଜଣେ ମହିଳା ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କ ନିକଟରୁ ଭରଣପୋଷଣ ପାଇବାକୁ ହକ୍ଦାର ରହିବେ ବୋଲି ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ସିଆରପିସି ୧୨୫ ଆଧାରରେ ମହିଳାଙ୍କୁ ସ୍ୱାମୀଙ୍କ ନିକଟରୁ ମିଳୁଥିବା ଭରଣପୋଷଣକୁ ଏକ ବ୍ୟବସ୍ଥିତ ଫାଇଦା ଭାବେ ଧରି ନିଆଯାଇ ନପାରେ ।
ପତ୍ନୀଙ୍କୁ ଭରଣପୋଷଣ ଦେବା ଆଇନାନୁମୋଦିତ ଓ ନୈତିକ କର୍ତବ୍ୟ । ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ସେହି ମହିଳା ଲାଭାନ୍ୱିତ ହୋଇପାରିବେ ଯୋଉମାନଙ୍କର ପ୍ରଥମ ବିବାହରେ ଆଇନାନୁମୋଦିତ ମୋହର ଲାଗି ନଥିବ ଓ ସେ ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କ ସହିତ ରହୁଥିବେ । ସୁପ୍ରିମକୋର୍ଟଙ୍କ ଏହି ରାୟ ମହିଳାଙ୍କ ଅଧିକାର ଓ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି । ମହିଳା ଆବେଦନକାରୀ ତେଲେଙ୍ଗାନାର ପାରିବାରିକ ଅଦାଲତରେ ଆପଣା ସପକ୍ଷରେ ରାୟ ପାଇଥିଲେ ମାତ୍ର ତେଲେଙ୍ଗାନା ହାଇକୋର୍ଟ ଅଧସ୍ତନ ଅଦାଲତଙ୍କ ରାୟକୁ ଅଗ୍ରାହ୍ୟ କରି ଦେଇଥିଲେ ।
ମାମଲା ସୁପ୍ରିମକୋର୍ଟରେ ପହଂଚିଥିଲା । ଜଷ୍ଟିସ୍ ବିବି ନାଗରତ୍ନା ଓ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କ ଗଠିତ ଖଣ୍ଡପୀଠ ମହିଳାଙ୍କ ଅପିଲକୁ ମଞ୍ଜୁର କରିଥିଲେ । ତେଲେଙ୍ଗାନା ହାଇକୋର୍ଟ ମହିଳାଙ୍କୁ ଦ୍ୱିତୀୟ ସ୍ୱାମୀଙ୍କ ନିକଟରୁ ଭରଣପୋଷଣ ପାଇବାକୁ ହକ୍ଦାର ରହିବେନି ବୋଲି କହିଥିଲେ । ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ ଯେ ମହିଳା ଜଣକ ତାଙ୍କ ପ୍ରଥମ ସ୍ୱାମୀଙ୍କ ନିକଟରୁ ଆଇନ ଅନୁସାରେ ଛାଡ଼ପତ୍ର ନନେଇ ଦ୍ୱିତୀୟ ବ୍ୟକ୍ତିଙ୍କ ସହିତ ରହୁଥିଲେ । ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଛନ୍ତି, ଯେହେତୁ ଦ୍ୱିତୀୟ ସ୍ୱାମୀ ମହିଳା ଆବେଦନକାରୀଙ୍କ ପ୍ରଥମ ବିବାହ ଓ ଛାଡ଼ପତ୍ର ନିଆ ଯାଇ ନଥିବା ବିଷୟ ଭଲ ଭାବରେ ଜାଣିଥିଲେ, ସେହି ଦୃଷ୍ଟିରୁ ସେ ପତ୍ନୀଙ୍କୁ ବ୍ୟଭିଚାରିଣୀ କହିପାରିବେନି ।