ଗାନ୍ଧାରୀଙ୍କ ଅଭିଶାପ ଭୋଗୁଛି ଆଫଗାନିସ୍ତାନ

ଆଜିର ଆଫଗାନିସ୍ତାନ ଦ୍ୱାପର ଯୁଗରେ ଗାନ୍ଧାର ବୋଲାଉଥିଲା । ଗାନ୍ଧାର ଦେଶର ରାଜକନ୍ୟା ଗାନ୍ଧାରୀ ଅନ୍ଧରାଜ ଧୃତରାଷ୍ଟ୍ରଙ୍କୁ ବିବାହ କରିଥିଲେ । ଗାନ୍ଧାରୀଙ୍କ ଭାଇ ଶକୁନି କୁଟିଳ ବୁଦ୍ଧିର ଅଧିକାରୀ ଥିଲେ । ଶକୁନିଙ୍କର ଶହେ ଭାଇ ଥିଲେ । ଭୀଷ୍ମଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାର ସତ୍‌ସାହସ ଗାନ୍ଧାର ନରେଶଙ୍କ ନିକଟରେ ନଥିଲା । ତେଣୁ ଅନ୍ୟ ଉପାୟ ନପାଇ ସେ ଧୃତରାଷ୍ଟ୍ରଙ୍କ ସହିତ ଗାନ୍ଧାରୀଙ୍କ ବିବାହ କରାଇ ଦେଇଥିଲେ । ମାତ୍ର ଶକୁନି ତାକୁ ସହଜରେ ଗ୍ରହଣ କରି ପାରିଲେନି । ପ୍ରତିଶୋଧର ନିଅାଁ ତାଙ୍କ ମନରେ ଜଳୁଥିଲା ।

ଧୃତରାଷ୍ଟ୍ରଙ୍କ ଦରବାରରେ ରହି ବାଳକ ଦୁର୍ଯ୍ୟୋଧନ ମନରେ ପାଣ୍ଡବଙ୍କ ପ୍ରତି ଘୃଣା ଓ ବିଦ୍ୱେଷ ଭରୁଥିଲେ ଶକୁନି । ପରିଣାମ ସ୍ୱରୂପ ଦୁର୍ଯ୍ୟୋଧନ ପ୍ରତିଟି କଥାରେ ଶକୁନିଙ୍କ ପରାମର୍ଶ ଲୋଡ଼ିବାକୁ ଲାଗିଲା । ଶକୁନିଙ୍କ କୁଟିଳ ବୁଦ୍ଧିକୁ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ ଭଳି ମହା ମହାରଥୀ ଡରୁଥିଲେ, ଏକା ଶ୍ରୀକୃଷ୍ଣ ଶକୁନିଙ୍କର ପ୍ରତି ଗତିବିଧି ଭେଦ କରି ପାରୁଥିଲେ । ମହାଭାରତ ଯୁଦ୍ଧର ଅନ୍ତିମ ପରିଣତି ପାଇଁ ଗାନ୍ଧାରୀ ତାଙ୍କ ଭାଇ ଶକୁନି ଓ ଶ୍ରୀକୃଷ୍ଣଙ୍କୁ ଦାୟୀ କରି ଅଭିଶାପ ଦେଇଥିଲେ । ଗାନ୍ଧାରୀ ଶକୁନିଙ୍କୁ କହିଥିଲେ, ତମେ ଯେପରି କୁଟିଳ ବୁଦ୍ଧି ପ୍ରୟୋଗ କରି କୁରୁବଂଶକୁ ନିପାତ କରିଦେଲ । ହସ୍ତିନାପୁରକୁ ଛାରଖାର କରିଦେଲ । ମୋ ଅଭିଶାପରେ ଗାନ୍ଧାର ରାଜ୍ୟ କେବେ ଶାନ୍ତିରେ ରହି ପାରିବନି । କେହି ସୁଖଶାନ୍ତିରେ ବାସ କରିବେନି ।

ମହାଭାରତ ଯୁଗ ଚାଲିଯାଇଛି । ଗାନ୍ଧାର ରାଜ୍ୟର ନାମ ଆଫଗାନିସ୍ତାନ ହୋଇଛି । ମାତ୍ର ଆଜି ଯାଏ ଗାନ୍ଧାରୀଙ୍କ ଅଭିଶାପ ଆଫଗାନିସ୍ତାନକୁ ସୁଖଶାନ୍ତିଠାରୁ ଦୂରରେ ରଖିଛି । ଆଫଗାନିସ୍ତାନରେ ଏକ ଟାଣୁଆ ସରକାର ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ରଖି ଯୁକ୍ତରାଷ୍ଟ୍ର ଆମେରିକା ବେଶ କିଛି ବର୍ଷ ଧରି ତାଲିବାନ ସହିତ ଲଢ଼ିଲା । ମାତ୍ର ପଛକୁ ହଟିଗଲା । ଏବେ ଆଫଗାନିସ୍ତାନକୁ ତାଲିବାନ ସରକାର ଶାସନ କରୁଛି । ସେଠାରେ ବସବାସ କରୁଥିବା ଲୋକମାନଙ୍କ ମୁହଁରୁ ହସ ଲିଭିଯାଇଛି ।