ବନ୍ଧା ହେବେ ବିଜେଡି ନେତା ରାଜା ଚକ୍ର

ଭିକେ ପାଣ୍ଡିୟାନଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା କେନ୍ଦୁଝର ଦାଦା ରାଜା ଚକ୍ର । ବିଜେଡି ସରକାରଙ୍କ ଅମଳରେ ତାଙ୍କ ଲାଞ୍ଜରେ ହାତ ମାରିବାକୁ ଲୋକ ଡରୁଥିଲେ । ଦାଦାଙ୍କ ଚୋଟରେ ଘାଇଲା ହୋଇ ମୁଣ୍ଡକୁ ତଳକୁ କରି ବଂଚୁଥିବା କିଛି ପୀଡ଼ିତ ଏବେ ମୁଣ୍ଡ ଟେକିବାରୁ ପାଗ ବିଗିଡ଼ି ଯାଇଛି ।

କେନ୍ଦୁଝର ପୁଅ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଏନ୍ତୁଡ଼ିଶାଳରେ ବିରାଟ ଷ୍ଟିଲ କାରଖାନା ପ୍ରତିଷ୍ଠା କରାଯିବ । ଏମିତି ଏକ ଘୋଷଣାନାମା ପ୍ରକାଶ ପାଇବା ପରେ କେନ୍ଦୁଝର ମାଟିତଳୁ ଗୋଟିଏ ଲୁହାପଥର ଯେପରି ଜିଲ୍ଲା ବାହାରକୁ ନଯାଏ, ତା’ର ପ୍ରତିକାର କରିବା ଜରୁରୀ । ରାଜାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଗଠନ କରାଯାଇଥିଲା ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ୍‌ ଟ୍ରାନ୍ସପୋର୍ଟ କୋ-ଅପରେଟିଭ୍‌ ସୋସାଇଟି । ସେହି ସୋସାଇଟିର ମେମ୍ବରଙ୍କ ନିକଟରୁ ଚଳୁ କରିଥିବା କୋଟି କୋଟି ଟଙ୍କା ଫାଙ୍କି ଚାଲିଛନ୍ତି ବିଜେଡି ନେତା ରାଜା ଓରଫ ସିଦ୍ଧାର୍ଥ ଶଙ୍କର ଚକ୍ର ।

ହାତଗଣତି ଅନୁଗତଙ୍କୁ ମାଲାମାଲ କରି ବାକି ସବୁ ଟଙ୍କାରେ ରାଜା ମାର୍କା ଜୀବନ କାଟୁଛନ୍ତି ରାଜା ଚକ୍ର । କିନ୍ତୁ ସବୁଦିନ ସମାନ ଯାଏନା । ରାଜାଙ୍କ ବିରୋଧରେ ଆର୍ଥିକ ତୋଷରପାତ ମାମଲା ରୁଜୁ କରାଯାଇଛି । ଟନ୍‌ ପିଛା ୬୦ ଟଙ୍କା ଲେଖାଏଁ ମାସକୁ ପ୍ରାୟ ୫ରୁ ୧୦ ଲକ୍ଷ ଟନ୍‌ ଲୁହାପଥର ଉପରୁ ଆଦାୟ କରିବା ଓ ତାକୁ ବାପାଙ୍କ ପାଣ୍ଠିରେ ଠୁଳ କରିବା ଏବେ ରାଜାଙ୍କ ପାଇଁ କାଳ ହୋଇଛି । ରାଜାଙ୍କ ପରିଚାଳିତ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ବ୍ରହ୍ମପୁରସ୍ଥିତ ଗୋପାଳପୁର ଅନ୍ତର୍ଗତ ପ୍ରାୟ ୧୧ଟି ଅଫିସରେ ଇଓଡବ୍ଲ୍ୟୁ ଓ ଏସ୍‌ଟିଏଫ୍‌ ଚଢ଼ଉ କରିଛନ୍ତି ।