ଦକ୍ଷିଣ ଭାରତରେ ଘାତକ ସାଜିଛି ପାରିବାରିକ ବିବାହ ପରମ୍ପରା

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରେ ବିବିଧ ଜାତି, ବିବିଧ ଧର୍ମ, ବିବିଧ ସଂପ୍ରଦାୟ, ବିବିଧ ଜନଜାତିର ଲୋକମାନେ ବସବାସ କରୁଛନ୍ତି । ସେମାନଙ୍କ ପାରିବାରିକ ଜୀବନଯାପନ ପଦ୍ଧତି ବଡ଼ ବିଚିତ୍ର । ଗୋଟିଏ ଜାତିର ପୋଷାକ ପରିଚ୍ଛଦ, ଖାଦ୍ୟପେୟ, ବୈବାହିକ ରୀତିନୀତି ଓ ସାମାଜିକ ଜୀବନ ଯାପନ ପ୍ରଣାଳୀ ଅନ୍ୟ ଜାତି, ସମ୍ପ୍ରଦାୟ ତୁଳନାରେ ସଂପୂର୍ଣ୍ଣ ଅବା ଆଂଶିକ ଅଲଗା ।

ଜେନେଟିକ୍‌ ଷ୍ଟଡି ଅନୁସାରେ ଜଣାପଡେ଼, ଦକ୍ଷିଣ ଭାରତରେ ସମଜାତି ବିବାହ ପ୍ରଥା ଏ ଯାଏ ୬୦ ଭାଗ ଦୃଢ଼ ହୋଇରହିଛି । ଏଭଳି କୌଳିକ ପ୍ରଥାର ଭବିଷ୍ୟତ ଅତ୍ୟନ୍ତ ଚିନ୍ତାଜନକ ବୋଲି କିଛି ଗବେଷକ ମତବାଦ ପ୍ରକାଶ କରିଛନ୍ତି । ପୃଥିବୀ ପୃଷ୍ଠରୁ ଗୋଟିଏ ଗୋଟିଏ ମାନବ ଜାତି, ଉପଜାତି କ୍ରମେ ଲୁପ୍ତ ହେବାକୁ ଯାଉଛି ଯାହାର ବିଭିନ୍ନ କାରଣ ଭିତରୁ ସମଜାତି ବିବାହ ପ୍ରଥାଟି ଯଥେଷ୍ଟ ପରିମାଣରେ ଦାୟୀ । ଅନ୍ୟ ଜାତିର ପୁଅ ଅବା ଝିଅକୁ ବିବାହ କରିବା ଏକ ସାମାଜିକ ଅପରାଧ ବୋଲି କିଛି ଜାତି ଉପଜାତିର ଲୋକମାନେ ଭାବୁଛନ୍ତି ।

ଏପରି କୁସ୍ଚିତ ଭାବନା କାରଣରୁ ଗୋଟିଏ ଗୌରବମୟ ଜାତି କ୍ରମେ ପୃଥିବୀ ପୃଷ୍ଠରୁ ଲୋପ ପାଇଯାଉଛି ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । ଗୋଟିଏ ଜାତି ତା’ର ଗୌରବ ବଜାୟ ରଖିବା ପାଇଁ, ପରମ୍ପରା ଓ ସଂସ୍କୃତିକୁ ବାନ୍ଧି ରଖିବା ପାଇଁ ସମଜାତି ବିବାହକୁ ପ୍ରାଥମିକତା ଦେଇଥାଏ । ସମାନ ଜାତିର ପୁଅଝିଅ ବିବାହ କରିବା ଫଳରେ ସେହି ଜାତିର ପରମ୍ପରା ଓ ସଂସ୍କୃତି, କଳା ଭାସ୍କର୍ଯ୍ୟ ଅନ୍ୟ ଜାତିକୁ  ଚାଲିଯିବାର ଆଶଙ୍କା ତାକୁ ସମଜାତି ଓ ଗୋତ୍ରରେ ବିବାହ କରିବାକୁ ବାଧ୍ୟ କରିଥାଏ ।

ଏଭଳି ଆଶଙ୍କା ଏବେ ବହୁ ଜାତି ଉପଜାତି ଓ ଗୋଷ୍ଠୀର ଲୋକଙ୍କ ପାଇଁ କାଳ ହେବାକୁ ଯାଉଛି । ଦକ୍ଷିଣ ଭାରତରେ ଗୋଟିଏ ବଂଶର ପୁଅଝିଅମାନଙ୍କୁ ଅନ୍ୟ ବଂଶରେ ବିବାହ ଦେବାର କଟକଣା କ୍ରମେ ଅଧିକ ରହିଛି । ଏପରି ଫଳରେ ବଂଶଗତ ଗୁଣସୂତ୍ରରେ ବିଲକ୍ଷଣ ପ୍ରକାଶ ପାଇବାର ଆଶଙ୍କା ବୃଦ୍ଧି ପାଉଛି । ଏପରି କିଛି ମାରାତ୍ମକ ରୋଗ ସଂକ୍ରମଣ ହେଉଛି ଯାହା ମଣିଷ ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରିଦେଉଛି ।

ହାଇଦ୍ରାବାଦସ୍ଥିତ କାଉନ୍‌ସିଲ ଅଫ୍‌ ସାଇଂଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ-ସେଂଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲେକୁଲାର ବାୟୋଲୋଜି ସଂସ୍ଥାର ବରିଷ୍ଠ ବୈଜ୍ଞାନିକ କୁମାରସ୍ୱାମୀ ଥଙ୍ଗରାଜ କହନ୍ତି ଯେ ଭାରତରେ ବଂଶାନୁକ୍ରମିକ ରୋଗ ସଂକ୍ରମଣ ପ୍ରକ୍ରିୟା ଏକ ଗତାନୁଗତିକ ଧାରା । ତାକୁ ରୋକିବା ସହଜ ନୁହେଁ ।