ଡିସେମ୍ବର ୩୧ ଯାଏ ଲକଡାଉନ୍ ଅବଧି ବୃଦ୍ଧି-shaksi news

ଚେନ୍ନାଇ: କରୋନା ମହାମାରୀ ସଂକ୍ରମଣକୁ ନଜରରେ ରଖି ବିଭିନ୍ନ ରାଜ୍ୟଗୁଡ଼ିକ ଲକଡାଉନ୍ ପଦକ୍ଷେପ ଉଠାଉଛନ୍ତି। ଏହିକ୍ରମରେ ତାମିଲନାଡୁ ସରକାର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଇଛନ୍ତି। ତେବେ ଏଥିସହ ସରକାର କିଛି କୋହଳ ମଧ୍ୟ କରିଛନ୍ତି।

ତାମିଲନାଡୁ ସରକାର ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ମୁତାବକ, ଡିସେମ୍ବର ୭ ତାରିଖରୁ ୟୁଜି ଅନ୍ତିମ ବର୍ଷର ପରୀକ୍ଷା ପୁଣି ଆରମ୍ଭ ହେବ। ଏହାସହ ଡିସେମ୍ବର ୧୫ ତାରିଖରୁ ମାରିନା ବିଚ୍ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ କ୍ରୀଡ଼ାବିତଙ୍କ ତାଲିମ ପାଇଁ ସୁଇମିଂ ପୁଲ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।ପୂର୍ବରୁ ତାମିଲନାଡୁ ସରକାର ନଭେମ୍ବର ୧୬ ତାରିଖରୁ ଅତିବେଶୀରେ ୧୦୦ ଲୋକଙ୍କୁ ସାମାଜିକ, ରାଜନୀତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁମତି ଦେବାର ନିଦ୍ଦେଶକୁ ବାତିଲ୍ କରିଥିଲେ। ହେଲେ ସାର୍ବଜନୀନ ସ୍ଥାନରେ ଲୋକେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଆଦି ନିୟମକୁ ଅବମାନନା କରୁଥିବା ସରକାର ଏହି ନିଷ୍ପତ୍ତି ନେଇଥିଲେ।

ତେବେ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସ୍ଥାନୀୟ ଅଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ କଟକଣା ଜାରି ରଖିବା ପାଇଁ କହିଥିଲେ। ଏହାସହ ଅନ୍ୟାନ୍ୟ କଟକଣା ବଳବତ୍ତର ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷରୁ ଅଧିକ ରହିଛି। ରାଜ୍ୟର ରାଜଧାନୀ ଚେନ୍ନାଇରେ ୨ଲକ୍ଷରୁ ଅଧିକ କରୋନା ମାମଲା ରହିଛି। ସେହିପରି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧ହଜାର ଟପିଛି।