ମରିସସ୍‌କୁ ହୃତପିଣ୍ଡ ସହିତ ତୁଳନା କଲେ ପ୍ରଧାନମନ୍ତ୍ରୀ ମୋଦିଜୀ

ପୋର୍ଟ ଲୁଇସ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ୍‌ ଗସ୍ତରେ ଯାଇ ସେଠାରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ମରିସସ୍‌ର ପ୍ରାକୃତିକ ଶୋଭାରାଜି, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଚଳଣୀକୁ ଅଦ୍ୱିତୀୟ କହିଛନ୍ତି । ପୃଥିବୀର ଦକ୍ଷିଣ ଭାଗରେ ଅବସ୍ଥିତ ଦେଶଗୁଡ଼ିକ ସହିତ ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ଭଳି ଗୁରୁଦାୟିତ୍ୱକୁ ସଂପାଦନ କରୁଛି ମରିସସ୍‌ । ଦକ୍ଷିଣ-ପୂର୍ବ ଆଫ୍ରିକାର ପ୍ରଧାନ ଦ୍ୱୀପରାଷ୍ଟ୍ର ମରିସସ୍‌କୁ ଏକ କ୍ଷୁଦ୍ର ଭାରତ ଭାବେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ ।

ମୋଦିଜୀ ମରିସସ୍‌ ଗୁଣଗାନ କରୁଥିବା ସମୟରେ ତାଙ୍କ ନିକଟରେ ଉପସ୍ଥିତ ଥିଲେ ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ, ତାଙ୍କ ଧର୍ମପତ୍ନୀ ଓ ଅନ୍ୟାନ୍ୟ କ୍ୟାବିନେଟ୍‌ ମନ୍ତ୍ରୀଗଣ । ମରିସସ୍‌କୁ ବିକଶିତ ଦେଶ ଭାବେ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ସବୁ ପ୍ରକାର ସହଯୋଗ କରିବ ବୋଲି ଆଶ୍ୱାସନା ପ୍ରଦାନ କରି ମୋଦିଜୀ କହିଛନ୍ତି, ଭାରତ ଓ ମରିସସ୍‌ ବନ୍ଧୁତ୍ୱ ଅତି ନିବିଡ଼ । ଉଭୟ ଦେଶର ସାଂସ୍କୃତିକ, ଐତିହାସିକ ଓ ସାମାଜିକ ବନ୍ଧନ ଏକ ଓ ଅଭିନ୍ନ । କେବଳ ସାର୍ବଭୌମତ୍ୱକୁ ବାଦ ଦେଲେ ଭାରତ ଓ ମରିସସ୍‌ ମଧ୍ୟରେ କିଛି ମୌଳିକ ହୋଇ ରହିନାହିଁ । ମରିସସ୍‌କୁ ପ୍ରତିରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ କରିବା ଭାରତର ଏକମାତ୍ର ମୌଳିକ ଉଦ୍ଦେଶ୍ୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦିଜୀ କହିଥିଲେ । ମରିସସ୍‌କୁ ଭାରତର ଏକ ପରିବାର ଭାବେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ ।

୨୦୧୫ ମସିହାରେ ମୋଦିଜୀ ମରିସସ୍‌ ଗସ୍ତରେ ଯାଇ ‘ସାଗର ଭିଜନ୍‌’ ମୂଳଦୁଆ ପକାଇଥିଲେ । ୧୦ ବର୍ଷ ପରେ ସେହି ସମୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେଦିନ କହିଥିବା କଥା ଆଜି ଭଳି ଲାଗୁଛି । ସେଦିନ ଯାହା କହିଥିଲି, ଆଜି ବି ସେଇଆ କହୁଛି । ମରିସସ୍‌ ସବୁବେଳେ ମୋର ହୃଦୟ ହୋଇ ରହିଛି, ରହିଥିବ ।