ଭୁବନେଶ୍ବର( ଏସ୍ ନ୍ୟୁଜ ): କଂଗ୍ରେସ ବିଧାୟକମାନେ ବିଜେଡିଠୁ ଟଙ୍କା ନେଇ ‘ପରୀ’ ପ୍ରସଙ୍ଗରେ ମୁହଁ ବନ୍ଦ ରଖିଥିବା ଭଳି ସାଂଘାତିକ ଅଭିଯୋଗ କରିଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସମ୍ବିତଙ୍କ ଏଭଳି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।ଏହାସହ ଚେତାବନୀ ଦେଇ କହିଛନ୍ତି, ସମ୍ବିତ ପାତ୍ର ତୁରନ୍ତ କ୍ଷମାଭିକ୍ଷା କରନ୍ତୁ। ନଚେତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଛନ୍ତି। ସମ୍ବିତ ତାଙ୍କ ଜୀବନରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, କାଉନସିଲର ହୋଇଛନ୍ତି କି ବୋଲି ସୁର ପ୍ରଶ୍ନ କରିଛନ୍ତି । ଗୋଟେ ଭଲ ପଲିଟିସିଆନ ହେବା କଷ୍ଟସାଧ୍ୟ। କ’ଣ ପାଇଁ ସମ୍ବିତ ଏତେ ଗର୍ବ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁର । କଂଗ୍ରେସର ୯ ବିଧାୟକ ୯ଟି ଗ୍ରହ । ଯେଉଁ ଅଭିଯୋଗ ଆଣିଛ, ୧୫ ଦିନ ଭିତରେ ତା’ର ପ୍ରମାଣ ଦିଅ, ନ ହେଲେ ଉଚିତ ଦଣ୍ଡ ଦିଆଯିବ ବୋଲି ସମ୍ବିତଙ୍କୁ କହିଛନ୍ତି ସୁର ।
ଏଠାରେ ପ୍ରକାଶ ଥାଉକି,ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସମ୍ମୁଖରେ ସମ୍ବିତ କହିଥିଲେ ଯେ ଏକ ୫ ବର୍ଷର ଝିଅ ‘ପରୀ’ ସହ ଲୋମଟାଙ୍କୁରା ନୃଶଂସ କାଣ୍ଡ ଘଟିଥିବା ବେଳେ କଂଗ୍ରେସର ୯ ଜଣ ବିଧାୟକ ଚୁପ୍ ହୋଇ ବସିଛନ୍ତି। ସେମାନେ ବିଜେଡିଠୁ ଟଙ୍କା ନେଇ ମୁହଁ ଚୁପ୍ କରି ବସିଥିବା ବେଳେ ଅରୁଣ ସାହୁଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ହାଥରସରେ ଅପରାଧ ହେବା ବେଳେ ଗର୍ଜୁଥିବା କଂଗ୍ରେସ ଦଳ ଏବେ କାହିଁକି ଚୁପ୍ ଅଛି ବୋଲି ପ୍ରଶ୍ନ କରିଥିଲେ। ସମ୍ବିତଙ୍କ ଏହି ମନ୍ତବ୍ୟକୁ ନେଇ ଏବେ କଂଗ୍ରେସ ଅଭିଯୋଗ ଉଠାଇଛି । ଏଯାବତ ସମ୍ବିତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।