ନୂଆଦିଲ୍ଲୀ: ଦୁଇ ହଜାରରୁ ଅଧିକ ବେସହାରା ପିଲା ଦେଶର ବିଭିନ୍ନ ଅନାଥାଶ୍ରମରେ ରହୁଛନ୍ତି ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଜବାବରେ ଦାଖଲ କରାଯାଇଥିବା ରିପୋର୍ଟରୁ ଜଣାପଡେ଼, ୬ ବର୍ଷରୁ କମ୍ ବୟସର କୋମଳମତି ଶିଶୁମାନଙ୍କୁ ବିଧି ମୁତାବକ ପୋଷ୍ୟ ପୁତ୍ର ଅବା ପୋଷ୍ୟ କନ୍ୟା ରୂପେ ଯୋଗ୍ୟ ଦଂପତିଙ୍କ ହାତକୁ ଟେକିଦେବାର ବ୍ୟବସ୍ଥା ରହିଛି ।
କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି, ଯଦ୍ୟପି ସରକାରୀ ଅନାଥାଶ୍ରମରେ ବାଳୁତ ପିଲାଙ୍କୁ ଲାଳନ ପାଳନ କରିବା ପାଇଁ ନାନା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତଥାପି ବାଳୁତ ପିଲାଙ୍କ ମନରୁ ମା’ ବାପାଙ୍କ ଅଭାବ ଦୂର କରିବା ପାଇଁ ସରକାର ସକ୍ଷମ ହୋଇ ପାରିବେନି । ଗୋଟିଏ ପରିବାର ବିନା ଗୋଟିଏ ଅନାଥ ବାଳୁତକୁ ଭଲ ମଣିଷ କରି ଗଢ଼ିବା ସହଜ ହେବନି । ତେଣୁ ସରକାରୀ ସ୍ତରରେ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର ମାଧ୍ୟମରେ ଦେଶର ଅନାଥ ପିଲାଙ୍କୁ ଯୋଗ୍ୟ ଦଂପତିଙ୍କୁ ହସ୍ତାନ୍ତର କରାଯିବାର ପ୍ରୟାସ ଜାରି ରହିଛି । ଶୈଶବର ଚପଳତାକୁ ମନଭରି ଉପଭୋଗ କରି ପାରୁ ନଥିବା ବାଳୁତ ପିଲାଙ୍କ ଭବିଷ୍ୟତକୁ ଶୃଙ୍ଖଳିତ ଭାବେ ତିଆରି କରିପାରିବନି ଅନାଥାଶ୍ରମ ।
ଅନାଥ ପିଲାଙ୍କ ସଂଖ୍ୟା ବଢ଼ିବାର କାରଣ ପ୍ରତି ସରକାରଙ୍କ ଦୃଷ୍ଟିଭଙ୍ଗୀ ଏକପ୍ରକାର ଉଦାସୀନ ରହିଛି । ଅବାଞ୍ଛିତ ମାତୃତ୍ୱରୁ ତ୍ରାହି ପାଇବା ପାଇଁ କିଛି ଯୁବତୀ ପିଲାକୁ ଜନ୍ମ କରି ଅନାଥାଶ୍ରମରେ ଛାଡ଼ି ଦେଉଥିବା ଯେତିକି ଦୁଃଖର ବିଷୟ । ଅପରିପକ୍ୱ ବୟସରେ ଶାରୀରିକ ଶୋଷଣର ଶିକାର ହୋଇ ବହୁ ନାବାଳିକା ମା’ ଓ ସେମାନଙ୍କ ପରିବାର ଅନ୍ୟ ଉପାୟ ନପାଇ ଜନ୍ମିତ ବାଳୁତକୁ ଅନାଥାଶ୍ରମରେ ଛାଡ଼ିବାକୁ ଉପଯୁକ୍ତ ମଣୁଛନ୍ତି । ୟା’କୁ ଆଧୁନିକ ସମାଜର ସୁସ୍ଥ ମାନସିକତା କୁହାଯିବ କି?