ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେ ଆଜି ମଧ୍ୟ ନଇଡ଼ା-ଦିଲ୍ଲୀ ସୀମାନ୍ତରେ ଧାରଣା ଜାରି ରଖିଛନ୍ତି। ଫଳରେ ଦ୍ୱିତୀୟ ଦିନ ଜାତୀୟ ରାଜଧାନୀ ଅଞ୍ଚଳ ସହ ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବନ୍ଦ ରହିଛି। ତେଣୁ ଜାତୀୟ ରାଜଧାନୀ ଅଞ୍ଚଳକୁ ଆସୁଥିବା ଯାତ୍ରୀମାନେ ଚିଲ୍ଲା ରାସ୍ତା ପରିବର୍ତ୍ତେ ଦିଲ୍ଲୀ-ନଇଡ଼ା ଡାଇରେକ୍ଟ୍ କିଂବା କାଳିନ୍ଦୀ କୁଞ୍ଜ ରାସ୍ତାରେ ଯାତାୟାତ କରନ୍ତୁ ବୋଲି ଦିଲ୍ଲୀ ଟ୍ରାଫିକ୍ ପୁଲିସ କହିଛି।
ଆନ୍ଦୋଳନରେ ‘ଭାରତୀୟ କିଷାନ୍ ୟୁନିୟନ୍’ (ବିକେୟୁ) ସହ ଅନୁବନ୍ଧିତ ଶହ ଶହ କୃଷକ ଏବଂ ଅନ୍ୟାନ୍ୟ ସଙ୍ଗଠନ ମଙ୍ଗଳବାର ସନ୍ଧ୍ୟାରୁ ଉତ୍ତର ପ୍ରଦେଶ ସୀମାନ୍ତରେ ଏକତ୍ର ହୋଇଛନ୍ତି। ଏହି ପ୍ରତିବାଦରେ ପଞ୍ଜାବ ଓ ହରିୟାଣାର କୃଷକମାନଙ୍କ ସହ ଯୋଗ ଦେବାକୁ ସେମାନେ ଦିଲ୍ଲୀ ଆସିବାକୁ ଚାହୁଁଛନ୍ତି। ତେଣୁ, ସେମାନଙ୍କୁ ଅଟକାଇବାକୁ କଡ଼ା ନିରାପତ୍ତା ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଛଡ଼ା ଘଟଣାସ୍ଥଳରେ ବ୍ୟାବକ ବେରିକେଡ୍ ମଧ୍ୟ ରଖାଯାଇଛି। ଏପରିକି ଧାରଣାରତ କୃଷକମାନେ ସେଠାରେ ଯଜ୍ଞ କରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି।
ଅନ୍ୟପଟେ କୃଷକମାନଙ୍କ ଆନ୍ଦୋଳନର ସମସ୍ୟା ସମ୍ବନ୍ଧିତ ଆଲୋଚନା କରିବାକୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ପୀୟୂଷ ଗୋୟଲ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି।