ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ନିଜର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛି । ନିକଟରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ଜାମିନ ମିଳିବାରେ ଏ ଦୁଇ ଅଧିକାରୀ ସହାୟତା କରିଥିବା ସନ୍ଦେହରେ ଏନସିବି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । କେବଳ ସେତିକି ନୁହେଁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମାଙ୍କୁ ମଧ୍ୟ ଜାମିନ ମିଳିବାରେ ଏ ଦୁଇ ଅଧିକାରୀଙ୍କ ହାତ ରହିଥିବା ଏନସିବି ସନ୍ଦେହ କରୁଛି । ତେଣୁ ୨ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଦୁଇ ଅଧିକାରୀଙ୍କ ବ୍ୟତୀତ ଏନସିବିର ଓକିଲଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ଅଛି । କାରଣ କୋର୍ଟରେ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଓକିଲ ଅନୁପସ୍ଥିତ ରହୁଥିଲେ । ତେଣୁ କୋର୍ଟରେ ଏନସିବି ତା’ ପକ୍ଷ ରଖିପାରିନଥିଲା ।
ଏଠାରେ ପ୍ରକାଶଥାଉକି , ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଘରୁ ଏନସିବି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏହାପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରାଯାଇଥିଲା । ଦୁହେଁ ଦୁଇରୁ ତିନି ଜେଲରେ ରହିବା ପରେ କୋର୍ଟରେ ଜାମିନ ଆବେଦନ କରିଥିଲେ । ଏବଂ ଦୁହିଁଙ୍କୁ ଖୁବ ସହଜରେ ବେଲ୍ ମିଳିଯାଇଥିଲା । ତେଣୁ ଏହି ଜାମିନ ବିରୋଧରେ ଏନସିବି ଏକ ମାମଲା ରୁଜୁ କରି ଏନଡିପିଏସ୍ କୋର୍ଟରେ ଚ୍ୟାଲେଞ୍ଜ କରିଛି।