ପୁରୀ ହାଜତ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ ରିପୋର୍ଟ,ଦେହସାରା ରହିଛି କ୍ଷତ ଚିହ୍ନ

ପୁରୀ(ଏସ୍ ନ୍ଯୁଜ): ପୁରୀ ବାସେଳିସାହି କେ.ରମେଶଙ୍କ ହାଜତ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି । ଦୁଇଜଣ ଡାକ୍ତରଙ୍କ ଦ୍ୱାରା ଏହି ପୋଷ୍ଟମର୍ଟମ କାର୍ଯ୍ୟ କରାଯାଇଥିଲା । ରମେଶଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ରିପୋର୍ଟରେ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ଦ୍ୱାରା ରମେଶଙ୍କ ଶରୀରର ବିଭିନ୍ନ ଅଂଶ ପରୀକ୍ଷା ପରେ ମୃତ୍ୟୁ ପଛରେ ୧୮ଟି କାରଣ ଥିବା ଦର୍ଶାଯାଇଛି । ମୃତ ରମେଶ ଙ୍କର ଦେହସାରା ରହିଛି କ୍ଷତ ଚିହ୍ନ। ମୁଣ୍ଡରେ ଶକ୍ତ ପ୍ରହାର ଯୋଗୁଁ ରକ୍ତ ଜମାଟ ବାନ୍ଧି ରହିଛି ।

ଶବ ବିଚ୍ଛେଦ ରିପୋର୍ଟ ଅନୁସାରେ କେ. ରମେଶଙ୍କ ମୃତ୍ୟୁ ଅସ୍ୱାଭାବିକ।ରମେଶଙ୍କ ଶରୀରରେ ୨୦ରୁ ଅଧିକ ସ୍ଥାନରେ ଆଘାତ ଲାଗିଛି । ମୁଣ୍ଡ ଠାରୁ ଆରମ୍ଭ କରି ପାଦ ଯାଏଁ ସବୁଠି କ୍ଷତଚିହ୍ନ ରହିଛି । ତାଙ୍କ ଆଣ୍ଠୁର ମଧ୍ୟ ଭାଗରେ ଚାରି ଇଞ୍ଚ ଲମ୍ବ ଓ ଏକ ଇଞ୍ଚ ଓସାରର ତିନୋଟି କ୍ଷତ ରହିଛି । ଏହା ସହ ବାମ ହାତରେ ଚାରି ଇଞ୍ଚ ଲମ୍ବ ଓ ଏକ ଇଞ୍ଚ ଓସାରର କ୍ଷତଚିହ୍ନ ଦେଖାଯାଇଛି । ଏବଂ ଡାହାଣ ହାତରେ କ୍ଷତଚିହ୍ନ ମଧ୍ୟ ରହିଛି । ବାମ ଆଣ୍ଠୁ ଆଖିପତା,ବାମ ହାତ ଓ ବାହୁରେ ବି କ୍ଷତଚିହ୍ନ ରହିଛି । ବାମ ଗୋଡ଼ ଗୋଇଠି ଆଘାତପ୍ରାପ୍ତ ହୋଇଛି। ହାତର ପାପୁଲି ଫୁଲିଛି। ମୁଣ୍ଡ ଉପରେ କୌଣସି ଶକ୍ତ ଜିନିଷରେ ପ୍ରହାର କରାଯାଇଛି। ଯେଉଁଥିପାଇଁ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ମାଡ଼ରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି। ଯାହା ମାରାତ୍ମକ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତରମାନେ ଉଲ୍ଲେଖ କରିଛନ୍ତି।

ସେହିଭଳି କାନ ମୁଣ୍ଡା, ପେଟ, ଯକୃତ, କିଡ୍‌ନି ଆଦି ବି ଆଘାତପ୍ରାପ୍ତ ହୋଇଛି। ଶରୀରର ବିଭିନ୍ନ ସ୍ଥାନରେ ରକ୍ତ ଜମାଟ ବାନ୍ଧିଛି। ଡାକ୍ତରମାନେ ସ୍ପଷ୍ଟ ଲେଖିଛନ୍ତି, କୌଣସି ଶକ୍ତ ଜିନିଷ କିମ୍ବା ଦନ୍ଥରା ଜିନିଷରେ କେ. ରମେଶଙ୍କୁ ଏକାଧିକ ଥର ଆଘାତ ଦିଆଯାଇଛି।

କେ. ରମେଶଙ୍କ ମୃତ୍ୟୁର ୧୨ରୁ ୧୮ ଘଣ୍ଟା ଭିତରେ ଶବ ବ୍ୟବଚ୍ଛେଦ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ଏହାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଅସନ୍ତୋଷ ର ସ୍ବର ଉଠିଛି। ଜିଲ୍ଲା କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହ ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।