ରିମାଣ୍ଡରେ ଆସିବେ ଆକାଶ

ଭୁବନେଶ୍ବର (ଏସ୍ ନ୍ଯୁଜ): ଆଜି ଶେଷ ହେଉଛି ଆଇଏଫ୍ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ରିମାଣ୍ଡ ଅବଧି । ଆଉ ପରେ ଇଡି ସ୍କାନର୍‌ରେ ଅଛନ୍ତି ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ସମେତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଚାକିରି ଠକେଇ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚଠାରୁ ଆଜି ଇଡି ସମସ୍ତ କାଗଜପତ୍ର, ଏତଲାର ନକଲ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ନେଇଛି। ଗତ ୪ ମାସ ଭିତରେ ପ୍ରଦୀପଙ୍କ ଗୋଟିଏ ଆକାଉଣ୍ଟରେ ୨ କୋଟି ୬୪ ଲକ୍ଷ ଟଙ୍କାର କାରବାର ଘଟଣାର ତଦନ୍ତ କରିବ ଇଡି।

ତେବେ ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯେଉଁମାନଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଛି ଓ ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି, ସେମାନେ ସମସ୍ତଙ୍କୁ ତଦନ୍ତ ପରିସରକୁ ନିଆଯିବ। ଆକାଉଣ୍ଟଗୁଡିକ ପ୍ରାରମ୍ଭିକ ଅନୁଧ୍ୟାନ କରି ଇଡି କହିଛି ଯେ ପେଟ୍ରୋଲ ପମ୍ପ, ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ, ମଦ ବ୍ୟବସାୟୀଙ୍କ ଆକାଉଣ୍ଟ୍‌ରୁ ପ୍ରଦୀପଙ୍କ ଆକାଉଣ୍ଟ୍‌କୁ କୋଟି କୋଟି ଟଙ୍କା ଆସିଥିବା ଜଣାପଡ଼ିଛି। ଏଥିସହିତ ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଛି। ଯାହା ମନି ଲଣ୍ଡରିଂକୁ ସୂଚାଉଛି।

ସୂଚନାଯୋଗ୍ୟ, ପ୍ରଦୀପଙ୍କ ଭାବୀ ଜ୍ବାଇଁ ଆକାଶ ପାଠକ ଓ ବାପା ଆଇଏଫ୍ଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକଙ୍କୁ ତଦନ୍ତ ପରିସରକୁ ନେଇଛି ଇଡି। ସେମାନଙ୍କ ଆକାଉଣ୍ଟରେ ମଧ୍ୟ କୋଟି କୋଟି ଟଙ୍କାର କାରବାର ହୋଇଛି। କେଉଁ ସୂତ୍ରରୁ ହଠାତ୍ ଏତେ ଟଙ୍କା ଆସିଲା, ତାହା ଅନୁଧ୍ୟାନ କରିବା ପୂର୍ବରୁ କାରବାରରେ ସାମିଲ ଥିବା ବ୍ୟାଙ୍କ ଅଧିକାରୀଙ୍କୁ ନୋଟିସ୍ ଜାରି କରାଯିବ। ଏହାପରେ ଏବେ ରାଜନୈତିକ ମହଲ ଠାରୁ ଆରମ୍ଭ କରି ପ୍ରଦୀପଙ୍କ ସମର୍ଥକ, ବ୍ୟବସାୟ ଗୋଷ୍ଠୀ, ବ୍ୟାଙ୍କ କର୍ତ୍ତୃପକ୍ଷ ଓ ବନ ବିଭାଗର କିଛି ଅଧିକାରୀ ଆତଙ୍କିତ ହୋଇପଡ଼ିଲେଣି।

କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟାଟା ମୋଟର୍ସ ଚାକିରି ନାଁରେ ହୋଇଥିବା ଠକେଇ ମାମଲାରେ ସାଂଘାତିକ ତଥ୍ୟ ଏବେ ସେମାନଙ୍କ ହାତରେ ଲାଗିଛି। ଅଭିଯୋଗକାରୀଙ୍କର ବୟାନ ରେକର୍ଡ କରାଯିବା ବେଳେ ଚାକିରି ପାଇଁ ଟଙ୍କା ଦିଆଯାଇଥିବାର କାଗଜପତ୍ର ସେମାନଙ୍କଠାରୁ ତଦନ୍ତକାରୀ ଅଧିକାରୀ ଜବତ କରିଛନ୍ତି। ଏହି କ୍ରମରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମଧ୍ୟ ଅନେକ ତଥ୍ୟ ଆସିଛି। ତେବେ ଏହା ପୂର୍ବରୁ ସେମାନେ ଏହି ଠକେଇର ମାଷ୍ଟରମାଇଣ୍ଡ ଆକାଶ ପାଠକକୁ ରିମାଣ୍ଡରେ ଆଣିବେ। ତେଣୁ ଏସ୍ଆଟି ର ରିମାଣ୍ଡର ଅବଧି ଆଜି ଶେଷ ହେଉଥିବା ବେଳେ ଏ ନେଇ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଇଡି ରିମାଣ୍ଡରେ ଆକାଶଙ୍କୁ ଆଣିବାକୁ ଆବେଦନ କରିଛି।