ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟରେ ହେବାକୁ ଥିବା ନୂଆ ସଂସଦ ଭବନର ହୋଇପାରିବ ନାହିଁ ନିର୍ମାଣ କାମ।
ନିର୍ମାଣ କାର୍ଯ୍ୟକୁ ନେଇ ଆଜି ସୁପ୍ରିମକୋର୍ଟ ଆପତ୍ତି ଉଠାଇଥିବା ବେଳେ ଯେଉଁ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇ ନାହାନ୍ତି, ସେ ଯାଏ କୌଣସି ନିର୍ମାଣ କାମ ବା ଉଚ୍ଛେଦ କାମ ହୋଇପାରିବ ନାହିଁ।
ଶନିବାର ଲୋକସଭା ବାଚସ୍ପତି ସଂସଦର ନୂଆ ଭବନ ପାଇଁ ୧୦ ତାରିଖରେ ଶିଳାନ୍ୟାସ ହେବ ବୋଲି ଘୋଷଣା କରିଥିଲେ। ଦିନ ୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଭୂମି ପୂଜନ କରିବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ପ୍ରାୟ ୧ ହଜାର କୋଟି ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ କରିବାକୁ ଯୋଜନା ହୋଇଛି।
‘ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ’ ଅଧୀନରେ ଏକ ସାଧାରଣ କେନ୍ଦ୍ରୀୟ ସଚିବାଳୟ, ଏକ ନୂତନ ପାର୍ଲାମେଣ୍ଟ୍ ଭବନ ଏବଂ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ବାସଭବନ ନିର୍ମାଣ କରାଯିବ। ୨୦୨୨ ସୁଦ୍ଧା ନୂତନ ପାର୍ଲାମେଣ୍ଟ୍ ଭବନ ନିର୍ମାଣ ଶେଷ ହେବ ବୋଲି ଯୋଜନା କରାଯାଇଛି।
କେନ୍ଦ୍ର ସରକାର ଦର୍ଶାଇଥିଲେ ଯେ, ନିର୍ଦ୍ଧାରିତ ଆଇନ ଅନୁସାରେ ସମ୍ପୃକ୍ତ ଅଞ୍ଚଳରେ ପୁନଃଉନ୍ନତିକରଣ କାର୍ଯ୍ୟକ୍ରମ ଚାଲୁ ରହିଛି। ଏଥିରେ କୌଣସି ଐତିହ୍ୟସମ୍ପନ୍ନ କୋଠବାଡ଼ି କ୍ଷତିଗ୍ରସ୍ତ ହେଉନାହିଁ। କିନ୍ତୁ, ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ ପାଇଁ କେନ୍ଦ୍ର ସରକାରଙ୍କୁ ମିଳିଥିବା ଅନୁମୋଦନକୁ ଚାଲେଞ୍ଜ୍ କରି ସୁପ୍ରିମ୍ କୋର୍ଟରେ କେତେଗୁଡ଼ିଏ ପିଟିସନ୍ ଦାଖଲ କରାଯାଇଥିଲା। ସେଗୁଡ଼ିକ ଏବେ ବିଚାରାଧୀନ ରହିଛି।
ତେଣୁ, ବିଚାରପତି ଏଏମ୍ ଖାନଓ୍ଵିଲ୍କର୍, ଦିନେଶ ମାହେଶ୍ୱରୀ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରକଳ୍ପ ସଂକ୍ରାନ୍ତରେ ସଲିସିଟର୍ ଜେନେରାଲ୍ ତୁଷାର ମେହେଟାଙ୍କ ସହ ଆଲୋଚନା କରିଥିଲେ।କେନ୍ଦ୍ର ସରକାରଙ୍କ ଠାରୁ ଏହି ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ତୁରନ୍ତ କୌଣସି ବିବୃତି ନ ଆସିଲେ, ଏହା ଉପରେ ରହିତାଦେଶ ଜାରି ହେବ ବୋଲି ଖଣ୍ଡପୀଠ କହିଥିଲେ। ଏଥିପାଇଁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ମାତ୍ର ୫ ମିନିଟ୍ ସମୟ ଦେଇଥିଲେ।
ଏହି ସମୟ ମଧ୍ୟରେ ସଲିସିଟର୍ ଜେନେରାଲ୍ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ବିଷୟରେ ଅବଗତ କରାଇ ବିବୃତି ମଗାଇଥିଲେ। ଏ ସଂକ୍ରାନ୍ତରେ ଅଦାଲତଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ପ୍ରକଳ୍ପ ସ୍ଥଳରେ ସମସ୍ତ ପ୍ରକାରର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି କେନ୍ଦ୍ର ସରକାର ବିବୃତିରେ ଉଲ୍ଲେଖ କରିଥିଲେ।ଏହାପରେ ଖଣ୍ଡପୀଠ ପ୍ରକଳ୍ପ ସ୍ଥଳରେ ନୂତନ ପାର୍ଲାମେଣ୍ଟ୍ ଭବନ ନିର୍ମାଣ ଶିଳାନ୍ୟାସ ଉତ୍ସବ ପାଇଁ ଅନୁମତି ପ୍ରଦାନ କରିଥିଲେ।