ଭୁବନେଶ୍ୱର( ଏସ୍ ନ୍ୟୁଜ ):ନୟାଗଡ଼ର ୫ ବର୍ଷର ଝିଅ ପରୀ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଏହାସହ ପରୀ ହତ୍ୟା ପଛରେ ବଳି ପ୍ରଥା ଥାଇପାରେ ବୋଲି ସେ ନିଜ ପୂର୍ବ ଶଙ୍କାକୁ ଦୋହରାଇଛନ୍ତି। ନୟାଗଡ଼ରେ ବଳି, ଗୁଣି, ଗାରେଡ଼ି ପ୍ରଥା ଚାଲୁଥିବାରୁ ଏହା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ୫୫୦୩ ଜଣ ଶିଶୁ ନିଖୋଜ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଅଭିଯୋଗରେ ସେ କହିଛନ୍ତି ଯେ, ଶିଶୁଙ୍କ ନିଖୋଜ ନେଇ ୩ ମାସିଆ ତ୍ୱରିତ ସର୍ଭେ କରାଯିବ । ସବୁ ସ୍ଥାନରୁ ତଥ୍ୟ ସଂଗ୍ରହ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯିବ। ଏପରିକି ଜିଲ୍ଲା, ବ୍ଲକ ପଞ୍ଚାୟତ ସ୍ତରରେ ପ୍ରତିନିଧିଙ୍କୁ ସକ୍ରିୟ କରାଯିବ । କେରଳରେ ନିଖୋଜ ଶିଶୁ ଉଦ୍ଧାର ହାର ୯୪ ପ୍ରତିଶତ ରହିଛି । ସେହି ତୁଳନାରେ ଓଡିଶା ବହୁତ ତଳେ ରହିଛି । କିଭଳି ଏଥିରେ ଉନ୍ନତି ହେବ ସେ ନେଇ ରୋଡ ମ୍ୟାପ ପ୍ରସ୍ତୁତି ହୋଇଛି ବୋଲି କହିଛନ୍ତି ।