ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ଚାଷୀଙ୍କ ୧୨ ଦିନର ଆନ୍ଦୋଳନ ଜାରି ରହିଛି। ଏହି ଆଇନୀକୁ ପ୍ରତ୍ୟହାର ପାଇଁ ଦାବି ଜୋର ଧରିଥିବା ବେଳେ କନ୍ନୌଜକୁ କୃଷି ଆନ୍ଦୋଳନରେ ଯୋଗ ଦେବା ପାଇଁ ଯାଉଥିବା ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଅଟକ ରଖିଛି ପୁଲିସ। ପ୍ରଶାସନ ପକ୍ଷରୁ ପୂର୍ବରୁ ଲକ୍ଷ୍ନୌରେ ଥିବା ତାଙ୍କ ଘର ବାହାରେ ବ୍ୟାରିକେଡ କରାଯାଇଥିଲା। ତଥାପି କୃଷି ଆନ୍ଦୋଳନରେ ଯୋଗ ଦେବା ପାଇଁ ବାହାରିବା ପରେ ତାଙ୍କୁ ପୁଲିସ ଅଟକାଇବାରୁ ସେ ନିଜ ସମର୍ଥକଙ୍କ ସହ ନିଜ ଘର ବାହାରେ ଧାରଣାରେ ବସିଥିଲେ ।
ଧାରଣାରେ ବସିଥିବା ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସେଠାରୁ ଉଠାଇ ନେବା ସହ ତାଙ୍କ ଗାଡିକୁ ଜବତ କରିଛି। ହେପାଜତକୁ ନିଆଯିବା ପରେ ଅଖିଳେଶ ଯାଦବଙ୍କୁ ଇକୋ ଗାର୍ଡେନକୁ ପଠାଯାଉଛି। ସେଠାରେ ତାଙ୍କୁ ଅଟକ ରଖାଯିବ ବୋଲି ଜଣା ପଡ଼ିଛି।