ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ,୨୦ରୁ ଅଧିକ କର୍ମୀ ଗିରଫ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ବନ୍ଦ ପାଳନର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ୧୮ଟି ରାଜନୈତିକ ଦଳ ଭାଗନେଇଥିବା ଜଣାପଡ଼ିଛି । ତେବେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକା ଜାମ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ତେବେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ବିଭିନ୍ନ ଚାଷୀ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଆନ୍ଦୋଳନ କରି ୨୦ରୁ ଅଧିକ ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ଗିରଫ ହୋଇଛନ୍ତି ।ହଂସପାଳ ଛକରେ ପ୍ରତିବାଦ କରୁଥିବା ୨୦ରୁ ଅଧିକ ନବନିର୍ମାଣ କୃଷକ ସଂଗଠନର କର୍ମୀଙ୍କୁ ପୁଲିସ ଗିରଫ କରିଛି। ଦ୍ୱୈତ ନଗରୀ ଭୁବନେଶ୍ୱର-କଟକ ବ୍ୟତୀତ ଅନ୍ୟ ସହରରେ ମଧ୍ୟ ଚାଷୀ ସଙ୍ଗଠନର କର୍ମକର୍ତ୍ତା ଓ ରାଜନୈତିକ ଦଳର କର୍ମୀମାନେ ପ୍ରତିବାଦ କରିଛନ୍ତି। ଏହାସହ କଟକ ବାଦାମବାଡ଼ିରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ରାଜଧାନୀ ଭୁବନେଶ୍ୱରରେ ବାମ ଦଳର କର୍ମୀମାନେ ରେଳରୋକ ଓ ରାସ୍ତା ଅବରୋଧ କରିଛନ୍ତି। ଏପରିକି ନୂଆ କୃଷି ଆଇନ୍‌କୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି। ରାସ୍ତାରୋକ ଯୋଗୁ ବରମୁଣ୍ଡା ବସଷ୍ଟାଣ୍ଡରୁ କୌଣସି ବସ ଗଡୁନି। ଯାହାଫଳରେ ଯାତ୍ରୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ସେପଟେ ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ଓ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରାଯାଇଛି। ଜୟଦେବ ବିହାର ଛକରେ ରାସ୍ତା ଅବରୋଧ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଜୟଦେବ ବିହାରରେ ଲମ୍ବା ଲାଇନରେ ଅଟକି ରହିଛି ଶତାଧିକ ଟ୍ରକ। କଟକ ରେଲୱେ ଷ୍ଟେସନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଟ୍ରେନ ଅଟକ ରହିଛି।

ସେହିପରି ବନ୍ଦର ପ୍ରଭାବ ଷ୍ଟିଲ୍‌ସିଟି ରାଉରକେଲାରେ ଦେଖିବାକୁ ମିଳିଛି। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବିକ୍ଷୋଭ ଯୋଗୁଁ ରାଉରକେଲାରେ ବସ ଚଳାଚଳ ବନ୍ଦ ରହିଛି। ବଣାଇର କୋଇଡ଼ା, ରକ୍ସି, ରଜାମୁଣ୍ଡା, ଫୁଟୁଗାଁରେ ରାସ୍ତା ଅବରୋଧ କରାଯାଇଛି। ରକ୍ସିରେ ମାଲବାହୀ ଟ୍ରେନ ଅଟକ ରଖିଛନ୍ତି ଆନ୍ଦୋଳନକାରୀ।