ଜୁନ ୨୭ ତାରିଖ ଦିନ ପୁରୀରେ ବଡଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ ବାରମ୍ବାର ଦିଗ ବଦଳାଉଥିବା କଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରଥମ କରି ରଥଯାତ୍ରା ପରିଚାଳନା ଭାର ଗ୍ରହଣ କରିଥିଲେ । ରଥଯାତ୍ରାରେ କୌଣସି ଅଘଟଣ ହେବନି ବୋଲି ମୁହଁ ଫୁଟାଣି ମାରୁଥିଲେ । ମାତ୍ର ବିଜେପି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତି ଓ ତା’ର ପରିଣାମ କଥା ମହାପ୍ରଭୁ ବଳଭଦ୍ରଙ୍କୁ ଅଛପା ନଥିଲା ।
ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ହେବ, ସେଥିରେ କିଛି ଲୋକଙ୍କ ଜୀବନ ଯିବ, ୟେ ସବୁ କଥା ମହାପ୍ରଭୁ ବଳଭଦ୍ରଙ୍କୁ ମାଲୁମ ଥିଲା । ଅଯଥା ରକ୍ତପାତକୁ ବଳଭଦ୍ର ସର୍ବଦା ଦୂରେଇ ରହିବାକୁ ଚାହାନ୍ତି । କିନ୍ତୁ ମୋହନ ଚରଣ ମାଝିଙ୍କ ନିଦେ୍ର୍ଦଶକୁ ଅଣଦେଖା କରିବ କିଏ?
ପୁଲିସମାନେ ତିନିରଥକୁ ଭିଡ଼ି ଭିଡ଼ି ଆଣି ଗୁଣ୍ଡଚା ମନ୍ଦିର ନିକଟରେ ଠିଆ କରିଦେଲେ । ତା’ ପରେ କ’ଣ ସବୁ ଘଟିଲା, ଆପଣମାନେ ସବୁ ଜାଣିଛନ୍ତି । ଚଳିତ ରଥଯାତ୍ରାକୁ ଐତିହାସିକ କରିବା ପାଇଁ ଗ୍ରହଣ କରାଯାଇଥିବା ଐତିହାସିକ ନିଷ୍ପତିକୁ ବିଫଳ କରିବା ପଛରେ ଐତିହାସିକ ଚରିତ୍ରଟି କିଏ?