ନିଜକୁ ଦୋଷମୁକ୍ତ ପ୍ରମାଣ କରିବା ପାଇଁ ପୂର୍ବତନ ପ୍ରଫେସର ମମତା ପାଠକ ଅଦାଲତରେ ବହୁତ ବୁଦ୍ଧି ଖଟାଇଲେ । ମାତ୍ର ତାଙ୍କର ସବୁ ଉଦ୍ୟମ ଫସର ଫାଟିଲା । ମଧ୍ୟପ୍ରଦେଶ ହାଇକୋର୍ଟ ମମତାଙ୍କୁ ଦୋଷୀ ପ୍ରମାଣିତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି ।
ଆସାମୀ ମମତା ପାଠକ ଅଦାଲତରୁ ନ୍ୟାୟ ପାଇବା ପାଇଁ କୌଣସି ଓକିଲଙ୍କ ସାହାଯ୍ୟ ଲୋଡ଼ି ନଥିଲେ, ଅଦାଲତରେ ନିଜ ମାମଲାକୁ ନିଜେ ପରିଚାଳନା କରୁଥିଲେ । ହାଇକୋର୍ଟ ପ୍ରଦାନ କରିଥିବା ୯୭ ପୃଷ୍ଠାବ୍ୟାପୀ ରାୟରେ ମାମଲାର ପ୍ରତିଟି ଦିଗକୁ ଟିକିନିଖି ବର୍ଣ୍ଣନା କରିଛନ୍ତି ।
ମାମଲାଟି ଏହିପରି, ଉଚ୍ଚଶିକ୍ଷିତ ସ୍ୱାମୀ-ସ୍ତ୍ରୀ ଭାବେ ଅବସରପ୍ରାପ୍ତ ସରକାରୀ ଡାକ୍ତର ନୀରଜ ପାଠକ ଓ କେମେଷ୍ଟ୍ରି ପ୍ରଫେସର ମମତା ପାଠକଙ୍କର ଯଥେଷ୍ଟ ଖାତିର ଥିଲା । ଉଭୟେ ଏକାଠି ରହୁଥିଲେ ମଧ୍ୟ ସେମାନଙ୍କର ବୈବାହିକ ଜୀବନ ବିବାଦୀୟ ଥିଲା । ୨୦୨୧ ମସିହାରେ ଡାକ୍ତର ନୀରଜ ପାଠକଙ୍କ ରହସ୍ୟମୟ ମୃତ୍ୟୁ ଘଟିଥିଲା । ପୁଲିସ ପ୍ରାଥମିକ ଅନୁସନ୍ଧାନ କରି ଡାକ୍ତର ପାଠକଙ୍କ ମୃତ୍ୟୁକୁ ବିଦ୍ୟୁତ ଆଘାତ କାରଣରୁ ବିଚାର କରିଥିଲା । ମାତ୍ର ଫରେନ୍ସିକ୍ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟକୁ ଭଲ କରି ଯାଂଚ କରିବା ପରେ ଡାକ୍ତରଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ କହିଥିଲା ପୁଲିସ ।
ସ୍ୱାମୀଙ୍କୁ ହତ୍ୟା କରିଥିବା ଅପରାଧରେ ପୁଲିସ ପ୍ରଫେସର ମମତା ପାଠକଙ୍କୁ ଗିରଫ କଲା । ଜିଲ୍ଲା ଅଦାଲତ ମମତାଙ୍କୁ ହତ୍ୟା ଆସାମୀ ପ୍ରମାଣିତ କରି ଆଜୀବନ କାରାଦଣ୍ଡ ରାୟ ପ୍ରକାଶ କରିଥିଲେ । ତଳକୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ମମତା । ଭିନ୍ନକ୍ଷମ ସନ୍ତାନକୁ ଦେଖାଶୁଣା କରିବାର କାରଣ ଦର୍ଶାଇ ମମତା ମଧ୍ୟପ୍ରଦେଶ ହାଇକୋର୍ଟରୁ ଜବଲପୁର ଶାଖାରୁ ଜାମିନ ପାଇଗଲେ ।
କୌଣସି ଓକିଲଙ୍କ ବିନା ସାହାଯ୍ୟରେ ନିଜ ମାମଲା ନିଜେ ଲଢ଼ିଲେ । ମମତା ବିଦ୍ୟୁତ ଆଘାତ ଜନିତ ପୋଡ଼ାଦାଗ ଓ ଥର୍ମାଲରେ ପୋଡ଼ାଦାଗକୁ ଏକା ଧରଣର ବୋଲି ହାଇକୋର୍ଟଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ବସିଥିଲେ । ଅଦାଲତରେ ମମତାଙ୍କ ବଳିଷ୍ଠ ଯୁକ୍ତିଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ସାମିଲ ଅଧିକାଂଶ ପୁରୁଷ ଓ ମହିଳା ମମତାଙ୍କୁ ନିର୍ଦ୍ଧୋଷ ଧରି ନେଇଥିଲେ ।