Gold Medal Stolen : ପୂର୍ବତନ ମହିଳା ସନ୍ତରଣକାରୀ ଓ ପଦ୍ମଶ୍ରୀ ବିଜେତା ବୁଲା ଚୌଧୁରୀଙ୍କ ସ୍ୱର୍ଣ୍ଣ ପଦକ ଚୋରି
Gold Medal Stolen : ଦକ୍ଷିଣ ଏସିଆନ୍ ଫେଡେରେସନ୍ କ୍ରୀଡ଼ାପ୍ରତିଯୋଗିତାରେ ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତର ମହିଳା ସନ୍ତରଣକାରୀ ତଥା ପଦ୍ମଶ୍ରୀ ବିଜୟିନୀ ବୁଲା ଚୌଧୁରୀଙ୍କ ପୈତୃକ ଘରୁ ଚୋରି ହୋଇଯାଇଛି । ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାରେ ବୁଲା ଚୌଧୁରୀଙ୍କ ପୈତୃକ ଘର । ଚୋରି ଯାଇଥିବା ସାମଗ୍ରୀ ଭିତରେ ବୁଲାଙ୍କ ବିଜୟସୂଚକ ସୁନା ପଦକ ସମେତ ବହୁ ଉପହାର ସାମଗ୍ରୀ ରହିଚି । ଏହି ସୂଚନା ପାଇବା ପରେ ବୁଲାଙ୍କ ମନ ଭାଙ୍ଗି ଯାଇଛି । ବୁଲାଙ୍କ ମତରେ ତାଙ୍କ ଜୀବନର ସ୍ମରଣୀୟ ମୁହୂର୍ତ ଗୁଡ଼ିକ କ୍ରମେ ହାତଛଡ଼ା ହୋଇଯାଇଛି ।
ଯାହାକୁ ନେଇ ସେ ଗର୍ବ ଅନୁଭବ କରୁଥିଲେ । ଚୋର ତାଙ୍କର ଜୀବନର ସବୁକିଛି ଚୋରି କରି ଚାଲିଯାଇଛି । ତାଙ୍କ କଠୋର ପରିଶ୍ରମର ପରିଣାମଗୁଡ଼ିକ ଚୋରି ହୋଇଯାଇଛି । ଏପରିକି ତାଙ୍କ ହାତରୁ ପଦ୍ମଶ୍ରୀ ପଦକଟି ମଧ୍ୟ ଚାଲିଯାଇଚି ।
୫୪ ବର୍ଷୀୟା ବୁଲା କହିଛନ୍ତି, ଚୋର ମୋ ଘରେ ପଶି ସବୁ ପଦକ ମେଡାଲ ଉପହାର ନେଇଯାଇଛି । ମୋ ଜୀବନକୁ ନର୍କ କରି ଚାଲିଗଲା । ମାତ୍ର ଛାଡ଼ି ଯାଇଛି ଅର୍ଜୁନ ପୁରସ୍କାର ଓ ତେଜିଂ ନର୍ଗେ ମେଡାଲଟିକୁ । ସୂଚନାଯୋଗ୍ୟ, ସ୍ୱାଧୀନତା ଦିବସ ଦିନ ବୁଲାଙ୍କ ଭାଇ ତାଙ୍କ ପୈତୃକ ଘରକୁ ଯାଇ ଦେଖିବାକୁ ପାଇଛନ୍ତି ଯେ ଚୋର ତାଙ୍କ ଘର ପଛ ଫାଟକ ଭାଙ୍ଗି ଭିତରକୁ ପଶିଥିଲା । । ବୁଲାଙ୍କ ପରିବାର ଏବେ କୋଲକାତାର କୋସବା ଅଂଚଳରେ ରହୁଛନ୍ତି ।