ପିଆଜ ଦରବୃଦ୍ଧି କାରଣରୁ ଉପଭୋକ୍ତାଙ୍କ ମନରେ ଭାରି କଷ୍ଟ । ରୋଷେଇ ଘରେ ପିଆଜଟିଏ ଦେଖିବା ସାତସପନ । ବେପାରୀଙ୍କ ଉପରେ ଚାପ ପକାଇ ପିଆଜ ଦର କମାଇବାର ବୁଦ୍ଧି ସରକାରଙ୍କ ମୁଣ୍ଡରେ ଥିଲା ।
କିନ୍ତୁ ବିହାର ନିର୍ବାଚନ ଆଗରେ ଥିବାରୁ ବେପାରୀଙ୍କ ମନରେ କଷ୍ଟ ଦେବାକୁ ଉଚିତ ମଣିଲେନି ମୋଦୀ ସରକାର ।
ଖାଉଟିଙ୍କ କଷ୍ଟକୁ ଲାଘବ କରିବା ପାଇଁ ସରକାର ନିଜେ ପିଆଜ ବିକିବାକୁ ବାହାରିଛନ୍ତି । ଶୁଣିବାକୁ ମିଳୁଛି, ଶୁକ୍ରବାରଠାରୁ ପିଆଜ କିଲୋ ପିଛା ୨୫ ଟଙ୍କା ଦରରେ ବିକିବେ ସରକାର ।
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଷୀଙ୍କ ସୂଚନା ମୁତାବକ ନ୍ୟାସନାଲ୍ ଏଗ୍ରିକଲଚରାଲ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍ ) , ନ୍ୟାସନାଲ୍ କୋଅପରେଟିଭ୍ କଞ୍ଜୁ୍ୟମର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନ୍ ସି ସି ଏଫ୍ ) ସମେତ ଆହୁରି କିଛି ସମବାୟ ସମିତି ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ିରେ ରିହାତି ଦରରେ ପିଆଜ ବିକିବାର ବନେ୍ଦାବସ୍ତ କରାଯାଉଛି ।
ଲଗାଣ ବର୍ଷା କାରଣରୁ ସାରା ଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ବହୁ ଫସଲ ଉଜୁଡ଼ି ଯାଇଚି । ବିଲାତି, ପିଆଜ, ଆଳୁ ଭଳି ପନିପରିବା ନଷ୍ଟ ହୋଇଛି । ତେଣୁ ସେଗୁଡ଼ିକର ବଜାର ଦର ଆକାଶ ଛୁଇଁଛି ।